କନକ ବ୍ୟୁରୋ : ଟିମ ଇଣ୍ଡିଆର ଦୁଇ ପୂର୍ବତନ କ୍ରିକେଟର ଯୁବରାଜ ସିଂ ଓ ରବିନ ଉଥାପ୍ପାଙ୍କୁ ଇଡିର ସମନ । ସେପ୍ଟେମ୍ବର ତୃତୀୟ ସପ୍ତାହରେ ଜେରା ପାଇଁ ଦିଲ୍ଲୀ ଆସିବାକୁ ମିଳିଛି ସମନ । ଅନଲାଇନ ବେଟିଂ ଆପ ୱାନଏକ୍ସବେଟିଂ ଜଡ଼ିତ ଠକେଇ ମାମଲାରେ ଉଭୟଙ୍କ ନାଁ ଆସିବା ପରେ ଏଣିକି ଜେରାର ସମ୍ମୁଖୀନ ହେବେ । ସୂଚନା ଅନୁସାରେ ବେଟିଂ ଆପ ପାଇଁ ପୂର୍ବତନ କ୍ରିକେଟର ବ୍ରାଣ୍ଡ ଆମ୍ବାସଡର ଥିଲେ । ପ୍ରଚାର ସମୟରେ ସେମାନଙ୍କ ଫଟୋ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ତେବେ କୋଟି କୋଟି ଟଙ୍କା ଠକେଇ ମାମଲାରେ ଏମାନଙ୍କ କୌଣସି ସମ୍ପର୍କ ଅଛି କି ନାହିଁ, ଏନେଇ ଅଧିକ ତଥ୍ୟ ସଂଗ୍ରହ କରୁଛି ତଦନ୍ତକାରୀ ସଂସ୍ଥା । ମନି ଲଣ୍ଡ୍ରିଂ ନିବାରଣ ଆଇନ ଅଧୀନରେ ପଚରାଉଚରା କରାଯିବ ଓ ଉଥାପ୍ପା ଏବଂ ଯୁବରାଜଙ୍କ ବୟାନ ରେକର୍ଡ କରାଯିବ । ବର୍ତ୍ତମାନ ଏସିଆ କପରେ କମେଟ୍ରିଂ କରୁଛନ୍ତି ଉଥାପ୍ପା । ପୂର୍ବରୁ ସୁରେଶ ରୈନା ଓ ଶିଖର ଧୱନଙ୍କୁ ମଧ୍ୟ ମାମଲାରେ ଜେରା ସରିଛି । ସେପଟେ ଅଭିନେତା ସୋନୁ ସୁଦଙ୍କୁ ମଧ୍ୟ ଜେରା ପାଇଁ ସମନ ପଠାଯାଇଛି । ଏହି ମାମଲାରେ ସୋମବାର ପୂର୍ବତନ ଟିଏମସି ସାଂସଦ ତଥା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ଏବଂ ବଙ୍ଗଳା ଅଭିନେତା ଅଙ୍କୁଶ ମଧ୍ୟ ଇଡି ନିକଟରେ ହାଜର ହୋଇଥିଲେ ।
ବିଶେଷକରି ଏହି ବେଟିଂ ଆପ କମ୍ପାନୀର ପ୍ରଚାର ପାଇଁ ଯେଉଁ ସେଲିବ୍ରିଟି ଓ କ୍ରିକେଟର ସାମିଲ ଅଛନ୍ତି ସେମାନଙ୍କଠୁ ଅଧିକ ତଥ୍ୟ ଉଗାଳୁଛି ତଦନ୍ତାକାରୀ ସଂସ୍ଥା । ତେବେ ଆଗାମୀ ଦିନରେ ଏହି ମାମଲାରେ ଅନେକ ବଡ ବଡ ତାରକାଙ୍କୁ ସମନ ପଠାଇ ଜେରା କରିପାରେ ଇଡି । ତଦନ୍ତକାରୀ ସଂସ୍ଥା ଅନୁସାରେ ଭାରତରେ ପ୍ରାୟ ୨୨କୋଟି ଲୋକ ବିଭିନ୍ନ ଅନଲାଇନ ବେଟି ଆପ ବ୍ୟବହାର କରନ୍ତି । ଯେଉଁଥିରେ ୧୧କୋଟି ନିୟମିତ ବ୍ୟବହାରକାରୀ । ଦିନକୁ ଦିନ ଭାରତରେ ବେଟିଂ ବଜାର ବଢିବାରେ ଲାଗିଛି । ତେବେ ଏହି ସବୁ ଉପରେ ରୋକ ଲଗାଇବାକୁ କେନ୍ଦ୍ର ସରକାର ନିକଟରେ ଅନ ଲାଇନ ଗେମିଂ ବିଲକୁ ଆଇନ ମଧ୍ୟ ପ୍ରଣୟନ କରିଥିଲେ ।