କନକ ବ୍ୟୁରୋ: ପାର୍ବଣ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ। ମା’ଙ୍କ ଆଗମନରେ ଭକ୍ତିମୟ ପରିବେଶ। ଆଜି ଶକ୍ତିପୀଠ ଗୁଡିକରେ ମହାମାୟାଙ୍କ ମହାଷ୍ଟମୀ ପୂଜା ଚାଲିଥିବା ବେଳେ ପୂଜା ମଣ୍ଡପରେ କିନ୍ତୁ ସପ୍ତମୀ ପୂଜାବିଧି ଚାଲିଛି। ଆଉ ସପ୍ତମୀ ତିଥିରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ତ୍ରିଦିନାତ୍ମକ ଗୋସାଣୀ ପୂଜାର ପରମ୍ପରା।
ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗଦଜନନୀ। ଆଉ ମା’ଙ୍କ ଆଗମନ ପରେ ଆଧ୍ୟାତ୍ମିକ ପରିବେଶ। ପୀଠ ହେଉ କି ମଣ୍ଡପ ସବୁଠି ଭିଡ଼। ମହାମାୟାଙ୍କ ମହାଷ୍ଟମୀ ପୂଜା ପାଇଁ ଚଳଚଞ୍ଚଳ ରାଜ୍ୟର ସବୁ ଶକ୍ତିପୀଠ। ସେପଟେ ପୂଜା ମଣ୍ଡପରେ ଚାଲିଛି ଦେବୀ ଦଶଭୁଜାଙ୍କ ସପ୍ତମୀ ରୀତିନୀତି। ମଣ୍ଡପରେ ଯଥାରୀତି ପୂଜାର୍ଚ୍ଚନା ପରେ କଳସ ସ୍ଥାପନ କରାଯାଇଥିଲା। ତାପରେ ମା’ଙ୍କର ଚକ୍ଷୁ ଦାନ ଓ ନବପତ୍ରିକା ପୂଜା କରାଯାଇଛି। ଦଶହରା ପାଇଁ ପ୍ରସିଦ୍ଧି ଲାଭ କରିଥିବା କଟକ ସହରରେ ଜମିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼। ପରିବାର ସହ ପୂଜା ମଣ୍ଡପ ଗୁଡିକ ବୁଲୁଛନ୍ତି ଲୋକେ। ମୃଣ୍ମୟୀ ମୂର୍ତ୍ତି ଗୁଡିକ ଯେମିତି ମନଲୋଭା ହୋଇଛି, ତୋରଣ ଓ ସାଜସଜ୍ଜା ସେତିକି ସୁନ୍ଦର ଓ ଆକର୍ଷଣୀୟ ହୋଇଛି। ସନ୍ଧ୍ୟା ହେଲେ ଝଲସୁଛି ମଣ୍ଡପ। ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପୂଜା ମଣ୍ଡପ ଗୁଡିକରେ ହଜାର ହଜାର ଲୋକଙ୍କ ଗହଳି। ଝାରପଡ଼ା, ରସୁଲଗଡ଼, ସହିଦନଗର, ନୟାପଲ୍ଲୀ ଭଳି ବିଭିନ୍ନ ମଣ୍ଡପରେ ସାଜସଜା, ଲାଇଟ୍, ତୋରଣ ସବୁକିଛି ମନ ଛୁଆଁ ହୋଇଛି। କାମ୍ବୋଡ଼ିଆ ସହରର ଭ୍ରମ ସୃଷ୍ଟି କରୁଥିବା ଏ ଚିତ୍ର ଭୁବନେଶ୍ବରର ଷ୍ଟେସନ୍ ବଜାର ମଣ୍ଡପର। କାମ୍ବାଡ଼ିଆ ସହରରେ ଥିବା କିଛି ପୁରାତନ ମନ୍ଦିର ସହିତ କାମ୍ବୋଡ଼ିଆର ଜଙ୍ଗଲ, ନଈ, ବ୍ରିଜ୍ ଓ ଅନେକ ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତିକୁ ସ୍ଥାନ ଦେଇଛି କମିଟି।
ପାର୍ବଣରେ ଉତ୍ସବମୁଖର ଶ୍ରୀକ୍ଷେତ୍ର। ଆଜି ସପ୍ତମୀ ଅବସରରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ତ୍ରିଦିନାତ୍ମକ ଗୋସାଣୀ ପୂଜା। ନିର୍ଦ୍ଦିଷ୍ଟ ପରମ୍ପରାକୁ ଅବଲମ୍ବନ କରି ମା’ଙ୍କର ପୂଜାର୍ଚ୍ଚନା କରାଯାଏ। ପରମ୍ପରା ଅନୁଯାୟୀ, ମା’ ବିମଳାଙ୍କୁ ଏହି ଷୋଳପୂଜା ସମୟରେ ବିଭିନ୍ନ ବେଶ କରାଯାଏ। ସପ୍ତମୀ ତିଥିରୁ ଶ୍ରୀମନ୍ଦିରରେ ମା’ ବିମଳାଙ୍କ ଗୁପ୍ତ ପୂଜାର ପରମ୍ପରା ଥିବାରୁ ମା’ଙ୍କ ସ୍ବରୂପ ଭାବେ ଶ୍ରୀମନ୍ଦିର ବାହାରେ ଥିବା ମା’ କାକୁଡ଼ିଖାଇଙ୍କୁ ଭକ୍ତମାନେ ଦର୍ଶନ କରି ସେହି ପୁଣ୍ୟ ଲାଭ କରିଥାନ୍ତି।
ଆସନ୍ତାକାଲି ମହାଷ୍ଟମୀରେ ବିଭିନ୍ନ ପୂଜା ମଣ୍ଡପରେ ପାଣି କଖାରୁ ବଳି ଦେବା ପରମ୍ପରା ରହିଛି। ସେପଟେ ଶକ୍ତିପୀଠରେ କାଲି ହେଉଛି ମହାନବମୀ।