କନକ ବ୍ୟୁରୋ : ନୂଆ ଖାଇବା ପାଇଁ ଗାଁକୁ ଫେରୁଛନ୍ତି ରାଜ୍ୟ ବାହାରକୁ ଯାଇଥିବା ଦାଦନ । ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଭଳି ଦାଦନ ପ୍ରବଣ ଜିଲ୍ଳାରେ ଏହି ସଂଖ୍ୟା ବେଶ ଅଧିକ । କିନ୍ତୁ ବିଡ଼ମ୍ବନାର ବିଷୟ ରାଜ୍ୟ ଭିତରେ କିଛି କାମ ମିଳୁନଥିବାରୁ ନୂଆ ଖାଇବା ପରେ ଏମାନେ ପୁଣି ଥରେ ଫେରିଯିବେ । ଏଥିପାଇଁ ଗାଁ ଗାଁରେ ସକ୍ରିୟ ହେଲେଣି ଦଲାଲ । ବିଭିନ୍ନ ପରିଚୟ ଦେଇ ସେମାନଙ୍କ ପାଖରେ ପହଞ୍ଚୁଛନ୍ତି । ଆଗୁଆ ଅଗ୍ରୀମ ବି ଦେଉଥିବା ସୂଚନା ମିଳିଛି । ଦଲାଲଙ୍କ ସମ୍ପର୍କରେ କିଛି ମୁହଁ ଖୋଲି କହୁନଥିଲେ ବି କିଛି ଦିନ ପରେ ପୁଣି ଦାଦନ ଖଟିବାକୁ ଯିବେ ବୋଲି କହିଛନ୍ତି ।
ରାଜ୍ୟରୁ କେତେ ଦାଦନ ଖଟିବାକୁ ଯାଉଛନ୍ତି ତାର ସଠିକ ତଥ୍ୟ ନାହିଁ । କିନ୍ତୁ କରୋନା ସମୟରେ ୨୦ ଲକ୍ଷରୁ ଅଧିକ ଦାଦନ ଓଡ଼ିଶାକୁ ଫେରିଥିଲେ । ଏବେ ଏହି ସଂଖ୍ୟା ଢେର ଅଧିକ ହେବ ବୋଲି କୁହାଯାଉଛି । ଏଥିରେ ରୋକ୍ ଲଗାଇବା ପାଇଁ ସରକାର ଗତକାଲି ବଡ଼ ନିଷ୍ପତ୍ତି ନେଇଛନ୍ତି । ଯେଉଁ ସବୁ ରାଜ୍ୟକୁ ଦାଦନ ଯାଉଛନ୍ତି ସେଠାକୁ ସ୍ବତନ୍ତ୍ର ଟିମ୍ ପଠାଇବା ସହ ଦାଦନ ସର୍ଦ୍ଦାରଙ୍କୁ ବାନ୍ଧିବାକୁ ଯୋଜନା କରିଛନ୍ତି । ହେଲେ, ଶ୍ରମିକଙ୍କୁ ରାଜ୍ୟ ଭିତରେ କେମିତି କାମ ମିଳିବ ସେମିତି କିଛି ବଡ଼ ପଦକ୍ଷେପ ନେଇ ନାହାନ୍ତି ସରକାର । ଏବେ ବି ଗଞ୍ଜାମରୁ ଆରମ୍ଭ କରି ବଲାଙ୍ଗିର, ନୂଆପଡ଼ା ଦାଦନଗଡ଼ ସାଜିଛି । ରାଜ୍ୟର ୧୪ଟି ଜିଲ୍ଲା ବଲାଙ୍ଗୀର, ସୋନପୁର, ବରଗଡ଼, କଳାହାଣ୍ଡି, ସୁନ୍ଦରଗଡ଼, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ, ନୂଆପଡ଼ା, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତିରୁ ଲକ୍ଷାଧିକ ଶ୍ରମିକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ସରକାର ସେମାନଙ୍କ ପାଇଁ କାମ କରୁଥିବା କଥା କହୁଛନ୍ତି । କିନ୍ତୁ କେବେ ଦାଦନ ସମସ୍ୟାର ଅନ୍ତ ହେବ, ତାର ଉତ୍ତର କାହା ପାଖରେ ନାହିଁ ।