କନକ ବ୍ୟୁରୋ: ଆଜି ହେଉଛି ପବିତ୍ର ଦୋଳ ପୂର୍ଣ୍ଣିମା । ଗାଁଠୁ ସହର ସବୁଠି ଜମୁଛି ଦୋଳ ମେଲଣ । କେଉଁଠି ରାଧାକୃଷ୍ଣ, ତ କେଉଁଠି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମା ବିମାନରେ ବିରାଜମାନ ହୋଇ ଗାଁ ଗାଁ ବୁଲୁଛନ୍ତି ଏବଂ ନିଜ ଭକ୍ତଙ୍କ ଘରେ ଭୋଗ ଖାଇ ରଙ୍ଗବେରଙ୍ଗର ଅବିର ଖେଳିଥାନ୍ତି ପ୍ରଭୁ ଦୋଳଗୋବିନ୍ଦ । 

Advertisment

ଓଡ଼ିଆ ୧୨ ମାସରେ ତେର ପର୍ବ ପାଳନ କରନ୍ତି । ସବୁ ପର୍ବର ସ୍ୱତନ୍ତ୍ରତା ରହିଛି । ବିଶ୍ୱାସ ଓ ଉତ୍ସାହର ମିଳନ ହେଉଛି ଦୋଳ ମେଳଣ । ତେବେ କେଉଁ ଆବାହନ କାଳରୁ ସଂସ୍କୃତି ଓ ପରମ୍ପରାକୁ ବହନ କରୁଛି ଲକ୍ଷ୍ମୀନୃସିଂହ ଦୋଳ ମେଲଣ । ପ୍ରଭୁ ନୃସିଂହ ନାଥ ବିମାନରେ ବିଜେ ହୋଇସାରିବା ପରେ ହଜାର ହଜାର ଭକ୍ତ ପ୍ରଭୁ ନୃସିଂହନାଥଙ୍କୁ ପାଛୋଟି ନିଅନ୍ତି । ସାଲେପୁରରେ ବିମାନ ଶୋଭାଯାତ୍ରା ସମୟରେ ମାନସିକଧାରୀ ଗାଁ ଦାଣ୍ଡରେ ଅଧିଆ ପଡ଼ିବା ଦେଖିବାକୁ ମିଳେ ।

ସେପଟେ ଗଞ୍ଜାମ ଧରାକୋଟରେ ବେଶ ଧୂମଧାମରେ ଦୋଳପୂର୍ଣ୍ଣିମା ପାଳିତ ହୋଇଛି । ଗଡ଼ଜାତ ଗାଁରେ ଥିବା ମନ୍ଦିରରୁ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ନଗର ପରିକ୍ରମା କରି ମେଳଣ ପଡ଼ିଆରେ ଏକାଠି ହୁଅନ୍ତି । ରାଜ ପୁରୋହିତଙ୍କ ଦ୍ୱାରା ନୀତିକାନ୍ତି ପରେ ପାଳନ ହୁଏ ହୋଲିକା ଦହନ କାର୍ଯ୍ୟକ୍ରମ । ସେପଟେ ଗଜପତିରେ ୬ଦିନ ଧରି ଚାଲିଥିବା ଉତ୍ସବର ପଞ୍ଚମ ଦିନରେ ମଘାପୋଡ଼ି ଉତ୍ସବ ପାଳନ କରାଯାଇଛି । 

ଆଠଗଡ଼ରେ ମଧ୍ୟ ଖୁବ୍ ଜାକଜମକରେ ରାଜଦୋଳ ଓ ଅଗ୍ନି ଉତ୍ସବ ପାଳିଛନ୍ତି ଶ୍ରଦ୍ଧାଳୁ । ସାଧାରଣତଃ ମାଘ ପୂର୍ଣ୍ଣିମାରେ ଅଗ୍ନି ଉତ୍ସବ ପାଳନ ହୁଏ । ହେଲେ ଆଠଗଡ଼ ଗଡ଼ଜାତରେ ଫାଲଗୁନ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିର ମଧ୍ୟରାତ୍ରରେ ଏହି ନିଆରା ଉତ୍ସବ ପାଳନ କରାଯାଏ । 

ସେହିପରି ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତା ମତୋ ବଜାରରେ ପାଳିତ ହେଉଛି ମତୋ ଦେଶ ମେଲଣ । ଏହି ମେଳନ ୨୨୪ ବର୍ଷରେ ପଦାର୍ପଣ କରିଛି । କନିକା ରାଜାଙ୍କ ଦ୍ୱାରା ପ୍ରଥମେ ପାଳିତ ହୋଇଥିବା ଏହି ମେଲଣ ଏବେ ଗଣପର୍ବରେ ପରିଣତ ହୋଇଛି । ସେପଟେ ପୁରୀ ଜିଲ୍ଲାର ଅସ୍ତରଙ୍ଗ ସିଲାରି ଗାଁରେ ଗୋପାଳ ସମ୍ପ୍ରଦାୟ ଲୋକେ ଦୋଳ ପୂର୍ଣ୍ଣିମାରେ ଗୋଠ ପୂଜା କରିଛନ୍ତି । ହିଣ୍ଡଳ ଉଠିବା ନାଁରେ ଗୋଠ ପୂଜା ଏକ ସ୍ଵତନ୍ତ୍ର ପରମ୍ପରା ।