କନକ ବ୍ୟୁରୋ: ॥ ତମସୋ ମା ଜ୍ୟୋତିର୍ଗମୟଃ ॥ ପ୍ରବାସୀ ଓଡିଆ ସଂଗଠନ 'ଉତ୍କଳିକା କାତାର' ତରଫରୁ କାତାର ଦେଶରେ ରହୁଥିବା ଓଡିଆ ମାନଂକୁ ନେଇ ଆଲୋକ ର ପର୍ବ ଦୀପାବଳି ଏବଂ କାର୍ତ୍ତିକ ପୂର୍ଣିମା ଉତ୍ସବ ଖୁବ୍ ଧୁମଧାମରେ ଦୋହା ସ୍ଥିତ ଇଣ୍ଡିଆନ କଲଚୁରାଲ୍ ସେଣ୍ଟର (ଆଇସିସି ) ଠାରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଯୋଗଦେଇ କାତାର ସ୍ଥିତ "ବିର୍ଲା ପବ୍ଲିକ ସ୍କୁଲ" ର ଅଧ୍ୟକ୍ଷ ଡ. ଆନନ୍ଦ ନାୟାର, ବଂଗୀୟ ପରିଷଦର ସଭାପତି ସୌମ୍ୟା ସିକଦାର, ବଂଗୀୟ ପରିଷଦର ସାଧାରଣ ସଂପାଦକ ସୋମନାଥ ମାଝି ଦୀପ ପ୍ରଜ୍ୱଳନ କରିଥିଲେ । 'ଉତ୍କଳିକା କାତାର'ର ସଭାପତି ଡା. ବସନ୍ତ କୁମାର କବି ସ୍ୱାଗତ ଭାଷଣରେ ଓଡିଆ ସଂସ୍କୃତିରେ ଦୀପାବଳୀ, କାର୍ତ୍ତିକ ପୂର୍ଣିମା ଓ ବୋଇତ ବନ୍ଦାଣର ପରଂପରା ସମ୍ପର୍କରେ ଆଲୋକପାତ କରିଥିଲେ ।
ଏହି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ଓଡିଆ ଚଳଚିତ୍ର ଜଗତର ସୁନାମଧନ୍ୟ ପ୍ରଚ୍ଛଦପଟ ଗାୟକ ବିଷ୍ଣୁ ମୋହନ କବି । କାର୍ଯ୍ୟକ୍ରମରେ ୨୦୦ ରୁ ଅଧିକ ପ୍ରବାସୀ ଓଡିଆ ଯୋଗଦେଇ ବିଷ୍ଣୁ ମୋହନଂକ ସଂଗୀତ ର ତାଳେ ତାଳେ ଝୁମି ଉଠିଥିଲେ । ଏଥି ସହିତ ସଂଗଠନର କଳାକାରମାନଂକ ଦ୍ୱାରା ପ୍ରସ୍ଥୁତ ଓଡିଶୀ ନୃତ୍ୟ,ସଂଗୀତ, ଆଧୂନିକ ନୃତ୍ୟ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ର ମଜା ନେଇଥିଲେ । ସଂଗଠନର ଉପସଭାପତି ନିହାର ରଂଜନ ମହାନ୍ତି, ସାଧାରଣ ସଂପାଦକ ଅବିନାଶ ଆଚାର୍ଯ୍ୟ, ଯୁଗ୍ମ ସଂପାଦିକା ଇପ୍ସିତା ଶତପଥୀ, ସାଂସ୍କୃତିକ ସଂପାଦକ ସାଗର ମହାନ୍ତି ଓ ସାଂସ୍କୃତିକ ସହ ସଂପାଦକ ଓମ୍ ପ୍ରକାଶ ପରିଡା ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ ।