କନକ ବ୍ୟୁରୋ: ସିଡିଏସ ଜେନେରାଲ୍ ଅନିଲ ଚୌହାନଙ୍କ ବଡ ବୟାନ । କହିଲେ ଏବେ ବି ଅପରେସନ୍ ସିନ୍ଦୁର ଜାରି ରହିଛି । ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ଏବଂ ଏହା ନିରନ୍ତର ଭାବେ ଜାରି ରହିଛି । ସେ ଏହା ମଧ୍ୟ କହିଛନ୍ତି ଯେ ଭାରତୀୟ ସଶସ୍ତ୍ର ବାହିନୀର ପ୍ରସ୍ତୁତି ସ୍ତର ବହୁତ ଉଚ୍ଚରେ ରହିଛି ଏବଂ ସେମାନେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ୨୪ଘଣ୍ଟା ସଜାଗ ଅଛନ୍ତି । ଏକ ପ୍ରତିରକ୍ଷା ସମ୍ମିଳନୀରେ ଜେନେରାଲ୍ ଚୌହାନ ସ୍ପଷ୍ଟ କରିଛନ୍ତି ଯେ ଯଦିଓ ମେ ୧୦ରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଘୋଷଣା କରାଯାଇଛି କିନ୍ତୁ ଯୁଦ୍ଧରେ କୌଣସି ଦ୍ୱିତୀୟ ସ୍ଥାନ ନଥାଏ, ତେଣୁ ସେନାକୁ ସର୍ବଦା ସତର୍କ ରହିବାକୁ ପଡ଼ିବ। ତାଙ୍କ ମତରେ, ଭାରତୀୟ ସେନାର ପ୍ରସ୍ତୁତି ବର୍ଷର ୩୬୫ ଦିନ, ୨୪ ଘଣ୍ଟା ସଜାଗ ରହିବା ଆବଶ୍ୟକ । ଜେନେରାଲ୍ ଚୌହାନ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଅପରେସନର ଆରମ୍ଭରେ କିଛି କ୍ଷୟକ୍ଷତି ହୋଇଥିଲା, କିନ୍ତୁ ସେନା ଏଥିରେ ପ୍ରଭାବିତ ହୋଇନାହାନ୍ତି । ସେ କହିଛନ୍ତି ଯେ ସେନା ତୁରନ୍ତ ନିଜର ରଣନୀତି ପରିବର୍ତ୍ତନ କରି ପାକିସ୍ତାନ ଭିତରେ ଥିବା ଏୟାରବେସ୍ ଉପରେ ବ୍ୟାପକ କ୍ଷତି ପହଞ୍ଚାଇଥିଲା ।
ଅପରେସନ୍ ସିନ୍ଦୁର ହେଉଛି ଭାରତୀୟ ସେନାର ଏକ ବଡ଼ଧରଣର ସାମରିକ ଅଭିଯାନ । ଏପ୍ରିଲ ୨୨, ୨୦୨୫ରେ ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଏହି ଅପରେସନ୍ ଆରମ୍ଭ କରାଯାଇଥିଲା ଏହି ଆକ୍ରମଣରେ ୨୬ ଜଣ ନିରୀହ ନାଗରିକଙ୍କର ମୃତ୍ୟୁ ହୋଇଥିଲା । ଏହାର ପ୍ରତିଶୋଧ ସ୍ୱରୂପ, ଭାରତୀୟ ସେନା ମେ ୭, ୨୦୨୫ ତାରିଖରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ସଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହା ଏକ ସମ୍ମିଳିତ ଅଭିଯାନ ଥିଲା, ଯେଉଁଥିରେ ସ୍ଥଳସେନା, ବାୟୁସେନା ଏବଂ ନୌସେନା ସାମିଲ ହୋଇଥିଲେ ।