କନକ ବ୍ୟୁରୋ : ନିମ୍ନ ମାନର ଛତୁଆ ର ତଦନ୍ତ କରିବାକୁ ଗଲେ ସିଡିପିଓ । ହେଲେ ତଦନ୍ତ ପରିବର୍ତ୍ତେ, ନିଜେ ଛତୁଆ ଗୋଳେଇ ଲୋକଙ୍କୁ ଭୋଗ ପରି ଖୁଆଇଲେ । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଳକ କଣିବାଙ୍କ ଗାଁରେ ଗର୍ଭବତୀ ଓ ପ୍ରସୂତି ଙ୍କୁ ନିମ୍ନ ମାନର ଛତୁଆ ବଣ୍ଟନ କରାଯାଉଥିବା ହୋଇଥିଲା ଅଭିଯୋଗ । ସାମ୍ନାକୁ ଆସିଥିଲା ପୋକ ସାଲୁବାଲୁ ଛତୁଆର ଦୃଶ୍ୟ । ଗାଁର ଅନେକ ଲୋକ ଏନେଇ ଉପମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ । ଏଣୁ ତଦନ୍ତ ପାଇଁ ଗାଁକୁ ଯାଇଥିଲେ ସିଡିପିଓ ଶୈଳବାଳା ଚାଷୀ । ହେଲେ ସେଠାରେ ତଦନ୍ତ କରିବା ପରିବର୍ତ୍ତେ ଅଙ୍ଗନବାଡ଼ି ଦିଦିଙ୍କ ଘରେ ବସି ଛତୁଆ ଖାଇଲେ ସେଠାରେ ଥିବା ଗାଁ ଲୋକଙ୍କୁ ଭୋଗ ଭଳି ବାଣ୍ଟିଲେ । ଏହାପରେ ସିଡିପିଓଙ୍କ କାର୍ୟ୍ୟକଳାପକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏହାସହ ପୋକରା ଛତୁଆ ଯୋଗାଉଥିବା ସ୍ବୟଂ ସହାୟକ ଗୋଷ୍ଠୀକୁ ମହିଳା ସିଡିପିଓ ସୁରକ୍ଷା ଯୋଗାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମାତ୍ର ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସିଡିପିଓ ଶୈଳବାଳା ଚାଷୀ ।