କନକ ବ୍ୟୁରୋ: ଗର୍ଭବତୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । କର୍ମକ୍ଷେତ୍ରରେ ବି ଗର୍ଭବତୀଙ୍କ ଚିକିତ୍ସା, ଯତ୍ନ ନେଇ ଅନେକ ଗୁରୁତ୍ବ ଦିଆଯାଉଛି । ହେଲେ ଏହା ସତ୍ୱେ ଜଣେ ଗର୍ଭବତୀ କର୍ମଚାରୀଙ୍କୁ ଉପରିସ୍ଥ ଅଧିକାରୀ ଅସହଯୋଗ କରିଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ା, ଡେରାବିଶ ବ୍ଲକ୍‌ ମହିଳା ଓ ଶିଶୁ ସମନ୍ୱିତ ବିଭାଗରୁ ଆସିଛି ଏଭଳି ଅଭିଯୋଗ । ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳା କର୍ମଚାରୀଙ୍କୁ ସିଡିପିଓ ଡାକ୍ତରଖାନା ଛାଡିନଥିବାରୁ ତାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଏକ ଭାଇରାଲ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଅଭିଯୋଗ ଅନୁସାରେ, ଡେରାବିସ ବ୍ଲକ୍‌ ମହିଳା ଓ ଶିଶୁ ସମନ୍ବୟ ବିଭାଗରେ କାର୍ଯ୍ୟରତ ବରିଷ୍ଠ ମହିଳା କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କୁ ଗତ ଶୁକ୍ରବାର କାର୍ଯ୍ୟାଳୟରେ ଥିବାବେଳେ ହଠାତ୍ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ୭ ମାସର ଗର୍ଭବତୀ ଥିଲେ ବର୍ଷା । ଯେତେବେଳେ ସେ, ସିଡିପିଓ ସ୍ନେହଲତା ସାହୁଙ୍କୁ ଡାକ୍ତରଖାନା ଯିବାକୁ ଅନୁମତି ମାଗିଥିଲେ, ସେ ଅନୁମତି ଦେଇ ନଥିଲେ, ଓଲଟା ଦୁର୍ବ୍ୟବହାର କରିଥିଲେ । ପରେ ଖବର ପାଇ ବର୍ଷାଙ୍କ ପରିବାର ଲୋକ ସେଠାରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଗର୍ଭରେ ଥିବା ଶିଶୁର ମୃତ୍ୟୁ ହୋଇ ଯାଇଥିବା ସୂଚନା ଦେଇଥିଲେ ଡାକ୍ତର । ପରିବାର ପକ୍ଷରୁ ସିଡିପିଓଙ୍କ ବିରୋଧରେ ଲିଖିତ ଅଭିଯୋଗ ହୋଇଛି । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସିଡିପିଓ ସ୍ନେହଲତା ସାହୁ ।