କନକ ବ୍ୟୁରୋ: ଏଫ୍ଏମ୍ କଲେଜ ଆତ୍ମାହୁତି ଦେଇଥିବା ଛାତ୍ରୀଙ୍କୁ କିଏ ଆଣି ପେଟ୍ରୋଲ ଦେଇଥିଲା? ତାଙ୍କୁ କିଏ ସହଯୋଗ କରିଥିଲେ? ସମସ୍ତଙ୍କ ମନରେ ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଥିବାବେଳେ ଧୀରେ ଧୀରେ ଗୁମର ଖୋଲୁଛି । ସିସିଟିଭି ଫୁଟେଜରୁ ଜଣାପଡ଼ିଛି ଯେ ଆତ୍ମାହୁତି କରିବା ପୂର୍ବରୁ ଏକ ପ୍ଲାଷ୍ଟିକ ବୋତଲ ନେଇ ସାଇକେଲରେ ପେଟ୍ରୋଲ ଟାଙ୍କିକୁ ଯାଇଥିଲେ ପୀଡ଼ିତା ଛାତ୍ରୀ । ଆଉ କୁହାଯାଉଛି, ଟାଙ୍କିରୁ ପେଟ୍ରୋଲ ନେବାର କିଛି ସମୟରେ କଲେଜରେ ନିଜ ଦେହରେ ନିଆଁ ଲଗାଇଦେଇଥିଲେ ।
- ଛାତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିଲେ ସାଙ୍ଗ
- ରାତିଅଧିଆ ୨ ଛାତ୍ରଙ୍କୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ
ବାଲେଶ୍ବର ଏଫ୍ଏମ୍ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଦୁଇ ଛାତ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଘଟଣାର ୨୩ ଦିନ ପରେ ରାତିଅଧିଆ ୨ ଅଭିଯୁକ୍ତଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ । ଏବିଭିପିର ରାଜ୍ୟ ଯୁଗ୍ମ ସମ୍ପାଦକ ଶୁଭ୍ର ସମ୍ବିତ ଏଫ୍ଏମ୍ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼େଇ କରୁଥିଲେ ଏବଂ ଜ୍ୟୋତିପ୍ରକାଶ ପୀଡ଼ିତାଙ୍କୁ ନିଆଁରୁ ଉଦ୍ଧାର କରିବାକୁ ଯାଇ ଗୁରୁତର ଆହତ ହୋଇଥିଲେ । ହେଲେ ତଦନ୍ତରୁ ଜଣାପଡିଛି, ପୀଡ଼ିତାଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିଲେ ଶୁଭ୍ର ଓ ଜ୍ୟୋତି । ଆଉ ଆତ୍ମାହୁତି ବେଳେ ମୋବାଇଲ୍ରେ କରୁଥିଲେ ଭିଡିଓ ସୁଟ୍ । ତେଣୁ ସେମାନଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଦଫା ଲାଗିଛି ।
ଏଫ୍ଏମ୍ ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାରେ ୨ ଛାତ୍ରଙ୍କ ଗିରଫ ପରେ ଏବିଭିପି ଉପରେ ବର୍ଷିଛି ବିଜେଡି । ଏବିଭିପିର ଚରିତ୍ର କେତେ ବିଷାକ୍ତ ତାହା ଓଡ଼ିଶା ଦେଖିଲା ବୋଲି କହିଛି ବିଜେଡି । କଂଗ୍ରେସ କହିଛି, ଏଫ୍ଏମ୍ କଲେଜ ଘଟଣାରେ ଘଣ୍ଟ ଘୋଡ଼ାଉଥିଲେ ସରକାର । ଯାହାର ଜବାବରେ ବିଜେପି କହିଛି, ମହିଳା ବିରୋଧୀ ଅପରାଧରେ ଶୂନ୍ୟ ସହନଶୀଳ ନୀତି ଆପଣାଇଛନ୍ତି ମୋହନ ସରକାର । ଅନ୍ୟପଟେ ପ୍ରେସ୍ ରିଲିଜ ଜାରି କରି ଏବିଭିପି କହିଛି, ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରିଥିବା ଛାତ୍ରଙ୍କୁ ଫସାଇ ଦିଆଯାଇଛି ।
ବିଜେଡି, କଂଗ୍ରେସ, ଏବିଭିପିର ଅଭିଯୋଗ ଭିତରେ ମନରେ ପ୍ରଶ୍ନ ଉଠୁଛି, ପୀଡ଼ିତାଙ୍କ ଆତ୍ମହତ୍ୟା ପଛରେ ଆଉ କାହାର ସମ୍ପୃକ୍ତି ଅଛି କି?