କନକ ବ୍ୟୁରୋ: ଥାନାରେ ଲାଗିଛି ସିସିଟିଭି । କିନ୍ତୁ ଏସବୁ ଠିକ ଅଛି ତ । ସିସିଟିଭିରେ ରେକର୍ଡିଂ ହୋଇଥିବା ଫୁଟେଜ ସାଇତି ହୋଇ ରହିପାରୁଛି ତ । ଥାନା ବାବୁଙ୍କୁ ଏହି କଥା ପଚାରିବାର ସାହାସ ହୁଏତ ସାଧାରଣ ଲୋକ କରିପାରିବେନି । ପଚାରିବେ ବି ଉତର ମିଳିନପାରେ । ଭରତପୁର ଥାନାରେ ସିସିଟିଭି ନଥିବା ଖବର ସାମ୍ନାକୁ ଆସିବା ପରେ ସିସିଟିଭି ଥାଇ ଷ୍ଟୋରେଜ ନଥିବା କତା ସାମ୍ନାକୁ ଆସିଛି । ସୂଚନା ଅଧିକାର କର୍ମୀ ଜିତେନ୍ଦ୍ର ସାହୁ କଟକ ମଧୁପାଟଣା ଥାନାର ଏକ ନିର୍ଦ୍ଧିଷ୍ଟ ସମୟର ସିସିଟିଭି ଫୁଟେଜ ମାଗିଥିଲେ । କିନ୍ତୁ ଷ୍ଟୋରେଜ ନଥିବା କହି ଏଡାଇଦେଲେ ପୋଲିସବାବୁ ।
ଭରତପୁର ଥାନାରେ ସିସିଟିଭି ନଥିବା ଖବର ଏବେ ଚର୍ଚ୍ଚାରେ ରହିଛି । ତେଣୁ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି ରାଜ୍ୟର ଅନ୍ୟ ପୋଲିସ ଥାନାରେ ଲାଗିଥିବା ସିସିଟିଭି କାମ କରୁଛି ତ? ଏହାର ଖୋଲତାଡ କଲା ବେଳକୁ କଟକରୁ ଆସିଛି ସାଂଘାତିକ ତଥ୍ୟ। ଗତ କିଛିଦିନ ତଳେ ଗୋଟିଏ ମାମଲାରେ ଛନ୍ଦି ହୋଇଥିବା ସୂଚନା ଅଧିକାର କର୍ମୀ ମଧୁପାଟଣା ଥାନାର ଗୋଟିଏ ନିର୍ଦ୍ଦିଷ୍ଟ ସମୟର ସିସିଟିଭି ଫୁଟେଜ ମାଗିଥିଲେ । ଏହା ଆବେଦନକାରୀଙ୍କର ଜୀବନ ଓ ସ୍ୱାଧୀନତା ସମ୍ପର୍କିତ ତଥ୍ୟ ହୋଇଥିବାରୁ ନିୟମ ଅନୁଯାୟୀ ୪୮ ଘଣ୍ଟା ଭିତରେ ତଥ୍ୟ ଦେବାର ନିୟମ ରହିଛି । କିନ୍ତୁ ମିଳିଲା ନାହିଁ ତଥ୍ୟ । ଏହାପରେ ଡିସିପି କାର୍ଯ୍ୟାଳୟରେ ପ୍ରଥମ ଅପିଲ କରିଥିଲେ। ୧୫ ଦିନ ମଧ୍ୟରେ ତଥ୍ୟ ଦେବା ପାଇଁ ଅର୍ଡର ହୋଇଥିଲା। କିନ୍ତୁ ଉତ୍ତର ଆସିଲା ଯେ, ଏହି ଘଟଣାକୁ ଅଧିକ ଦିନ ବିତିଗଲାଣି । ୭ ଦିନରୁ ଅଧିକ ସମୟ ହୋଇଯାଇଥିବାରୁ ସିସିଟିଭି ଫୁଟେଜ ନଥିବା ସୂଚନା ଦେଇଥିଲେ ଥାନାର ଜନ ସୂଚନା ଅଧିକାରୀ ।
ପଢ଼ନ୍ତୁ...ସିସିଟିଭିକୁ ନେଇ କଣ ରହିଛି ନିୟମ
୨୦୨୦ରେ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଥିଲେ
ପୋଲିସ ଥାନାରେ ଥିବା ସିସିଟିଭି ଫୁଟେଜର ବ୍ୟାକ୍ଅପକୁ ୧୮ ମାସ ଯାଏଁ ସାଇତି ରଖାଯିବ
ଏ ସଂପର୍କରେ ଅନ୍ୟ ଆଇଟି ନିୟମ ମଧ୍ୟ ରହିଛି
ଅତି କମରେ ୩୦ରୁ ୯୦ ଦିନ ଫୁଟେଜ୍ ସାଇତି ରଖିବାକୁ ନିୟମ ଅଛି
କିନ୍ତୁ ମଧୁପାଟଣା ଥାନାରେ ୭ ଦିନର ଫୁଟେଜ ନରହିବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଖୋଲିଖୋଲି ଉଲ୍ଲଙ୍ଘନ କରାଯାଉଥିବା ଦର୍ଶାଉଛି । ସିସିଟିଭି ଫୁଟେଜକୁ ପ୍ରମାଣ ଆଧାରରେ ବ୍ୟବହାର କରାଯାଉଥିବାରୁ ଏହାକୁ ସାଇତି ରଖିବା ପୋଲିସର ଦାୟିତ୍ୱ ବୋଲି ଆଇନଜୀବୀ କହିଛନ୍ତି ।