କନକ ବ୍ୟୁରୋ : ବୋର୍ଡ ଅଫ ସେକେଣ୍ଡାରି ଏଜୁକେସନ ବା ସିବିଏସ୍ଇ ୨୦୨୫-୨୬ ଶିକ୍ଷାବର୍ଷରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ୭୫ ପ୍ରତିଶତ ଉପସ୍ଥିତି ହାଜର ନିୟମକୁ ପୁନର୍ବାର ଜାରି କରିଛି । ଏହି ନିୟମ ଅନୁଯାୟୀ, ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷାରେ ବସିବା ପାଇଁ ଅତିକମରେ ୭୫% କ୍ଲାସରେ ଉପସ୍ଥିତି ରହିବା ବାଧ୍ୟତାମୂଳକ । ଏହା ସହିତ ସିବିଏସଇ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର ମଧ୍ୟ ଜାରି କରିଛି, ଯାହା ଉପସ୍ଥିତି ସମ୍ବନ୍ଧୀୟ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦେଇଛି । ମେଡିକାଲ କାରଣ, ଅନ୍ୟ ବୈଧ କାରଣ କିମ୍ବା ବିଶେଷ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ନିୟମରେ କିଛି ଛାଡ଼ ମିଳିପାରିବ, କିନ୍ତୁ ଏଥିପାଇଁ ଉପଯୁକ୍ତ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ ।  ଏହି ନିଷ୍ପତ୍ତି ଶିକ୍ଷାର ଗୁଣବତ୍ତା ବଜାୟ ରଖିବା ଲକ୍ଷ୍ୟରେ ନିଆଯାଇଛି। ସ୍କୁଲଗୁଡ଼ିକୁ ଏହି ନିୟମ କଡ଼ାକଡ଼ି ପାଳନ କରିବାକୁ ଓ ଅଭିଭାବକମାନଙ୍କୁ ଏ ସମ୍ପର୍କରେ ଅବଗତ କରିବାକୁ କୁହାଯାଇଛି ।