କନକ ବ୍ୟୁରୋ : ସରକାରଙ୍କୁ ଘାରିଛି  ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ   ସୁରକ୍ଷା ଚିନ୍ତା । ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ଖେଳପଡ଼ିଆ ଠାରୁ  ସ୍ମାର୍ଟ ଫୋନ ସ୍କ୍ରିନରେ  ଅଧିକ ସମୟ ଦେଉଛନ୍ତି ।  ସେହିଭଳି ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଯୋଗାଇ ଦେଉଥିବା ମଧ୍ୟାହ୍ନ ଭୋଜନ ବଦଳରେ ଅଧିକାଂଶ ପିଲା ସୁସ୍ୱାଦୁ ଫାଷ୍ଟ ଫୁଡ ପ୍ରତି ଆଗ୍ରହ ଦେଖାଉଛନ୍ତି ।  ଫଳରେ  ଭାରତର ପିଲାମାନେ ବିଶେଷ କରି  ମେଦ ବହୁଳତା, ଟାଇପ୍ ୨ ମଧୁମେହ, ହୃଦରୋଗ ଓ ମେଟାବୋଲିକ୍ ଡିସଅର୍ଡର ଭଳି ଭୟଙ୍କର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । । ଭବିଷ୍ୟତକୁ ଚିନ୍ତା କରି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ସମସ୍ୟାର ସମାଧାନ ନିମନ୍ତେ ସମସ୍ତ ସ୍କୁଲରେ “ସୁଗାର ବୋର୍ଡ଼୍” ଆରମ୍ଭ କରିବା ପାଇଁ ନୋଟିସ୍ ଦେଇଛି ।  ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କୁ ଖାଦ୍ୟରେ ଅତ୍ୟାଧିକ ଚିନିର ପ୍ରଭାବ ବିଷୟରେ ଶିକ୍ଷିତ କରିବା ଓ ସୁସ୍ଥ ଅଭ୍ୟାସକୁ ପ୍ରୋତ୍ସାହିତ କରିବା । ଯାହାଦ୍ୱାରା ପରବର୍ତ୍ତୀ ପିଢ଼ିର ଜୀବନଶୈଳୀରେ ରୋଗର ପ୍ରାର୍ଦୁଭାବ ହ୍ରାସପାଇବ ।

Advertisment

ଅନେକ ସ୍ୱାସ୍ଥ୍ୟ ସମ୍ପର୍କୀୟ  ଅଧ୍ୟୟନ ପରେ ସିବିଏସଇର ଚିନ୍ତାଜନକ ପରିସଂଖ୍ୟାନ ଦର୍ଶାଇଛି ଯେ ଛାତ୍ରଛାତ୍ରୀମାନେ ମାତ୍ରାଧିକ ଚିନି ବ୍ୟବହାର କରୁଛନ୍ତି । ରେର୍କଡ଼ରେ ପ୍ରକାଶ ପାଇଛି ୪ ରୁ ୧୦ ବର୍ଷ ବୟସର ପିଲାମାନେ ଖାଦ୍ୟରେ ଦୈନିକ ପ୍ରାୟ ୧୩% କ୍ୟାଲୋରିର ଚିନି ବ୍ୟବହାର କରୁଥିବା ବେଳେ , ୧୧ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ଖାଦ୍ୟରେ ଦୈନିକ ପ୍ରାୟ ୧୫% କ୍ୟାଲୋରିର ଚିନି ଗ୍ରହଣ କରୁଛନ୍ତି । ମାତ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମତ ଅନୁସାରେ ଏହା ସଠିକ ମାତ୍ରାରୁ ୫% ଅଧିକ ଜଣାପଡ଼ୁଛି । କିନ୍ତୁ ଏହି ସମସ୍ୟାର ଏକ ପ୍ରମୁଖ କାରଣ ହେଇଛି ସ୍କୁଲ ପରିବେଶ ମଧ୍ୟରେ ସ୍ନାକ୍ସ, ମୃଦୁ ପାନୀୟ ଏବଂ ଫାଷ୍ଟଫୁଡ଼୍ ଭଳି ଉଚ୍ଚ-ଚିନି ଯୁକ୍ତ ଖାଦ୍ୟ ଗୁଡ଼ିକର ବ୍ୟାପକ ବ୍ୟବହାର । ଏଭଳି ଖାଦ୍ୟ ସୁଲଭ ଏବଂ ଆକର୍ଷଣୀୟ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ଦୈନନ୍ଦିନ ଖାଦ୍ୟର ଅଂଶ ହୋଇଯାଉଛି, ଯାହା ଶାରିରୀକ ବିକାଶରେ ବାଧା ଦେବା ସହ ବିଭିନ୍ନ ରୋଗର କାରଣ ପାଲଟିଛି ।

ସୁଗାର ବୋର୍ଡଗୁଡ଼ିକ କିପରି କାର୍ଯ୍ୟ କରିବ ?

ଏହି ନୂତନ ସିବିଏସଇ ପଦକ୍ଷେପ ଅନୁଯାୟୀ, ସ୍କୁଲଗୁଡ଼ିକରେ ଅତ୍ୟଧିକ ଚିନି ସେବନର କ୍ଷତିକାରକ ପ୍ରଭାବ ବିଷୟରେ ସଚେତନତ କରାଯିବ । କେତେ ପରିମାଣର ଚିନି ଖାଦ୍ୟରେ ରହିବ, କେଉଁ ଖାଦ୍ୟ କେତେ ଖାଇବା ଦରକାର, ମେଦ ବହୁଳତା, ଟାଇପ୍ ୨ ମଧୁମେହ, ହୃଦରୋଗ  ଓ ମେଟାବୋଲିକ୍ ଡିସଅର୍ଡର ଭଳି ରୋଗ ବିଷୟରେ ସଚେତନ କରାଯିବ । ଆକର୍ଷଣୀୟ ଭାବେ  ଶିକ୍ଷାଦାନ ପାଇଁ ଡିଜାଇନ୍ ପୋଷ୍ଟର୍, ଇନଫୋଗ୍ରାଫିକ୍ସ,  ଏବଂ ମଜାଦାର ତଥ୍ୟ ବ୍ୟବହାର କରି ଛାତ୍ରଛାତ୍ରୀମାନଙ୍କୁ ଅତ୍ୟାଧିକ ଶର୍କରା ଖାଦ୍ୟର ବିପଦକୁ ସହଜରେ ଦର୍ଶାଯିବ । ଏଥି ପାଇଁ ସେହି ସ୍କୁଲର ଶିକ୍ଷକ ସହିତ ଜଣେ ପୁଷ୍ଟିସାର ବିଶେଷଜ୍ଞଙ୍କୁ ଦାୟିତ୍ୱ ମିିିଳିବ  ।

ଏଭଳି ପଦକ୍ଷେପ ପୂର୍ବରୁ ବିଭିନ୍ନ ଅଞ୍ଚଳରେ କାର୍ଯ୍ୟକାରୀ  ହେଉଛି । କୋଲକାତାର ସାଉଥ୍ ପଏଣ୍ଟ ଏବଂ ଆଦିତ୍ୟ ଏକାଡେମୀ ଭଳି ସ୍କୁଲରେ ପ୍ରାତଃ ସଭାରେ ପୁଷ୍ଟିସାର ଆଧାରିତ ବାର୍ତ୍ତା ଦିଆଯିବା  ସହିତ ଇଣ୍ଟରାକ୍ଟିଭ୍ କର୍ମଶାଳାର ଆୟୋଜନ ହେଉଛି । ସ୍କୁଲଗୁଡ଼ିକରେ ଜଣେ ପୂର୍ଣ୍ଣକାଳୀନ ପୁଷ୍ଟିସାର ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯାଇଛି ।  କୋଲକାତାର ନ୍ୟୁଟାଉନ୍ ସ୍କୁଲର ପ୍ରିନ୍ସିପାଲ ଶତାବ୍ଦୀ ଭଟ୍ଟାଚାର୍ଯ୍ୟ ମତ ଦେଇଛନ୍ତି,”ଏହି ପଦକ୍ଷେପକୁ ସଫଳଭାବେ ପ୍ରଣୟନ ପାଇଁ ଛାତ୍ର ଏବଂ ଅଭିଭାବକମାନଙ୍କ ସହିତ ସ୍ୱତନ୍ତ୍ର କର୍ମଶାଳା ଆୟୋଜନ କରି ଏବଂ ପିତାମାତାଙ୍କୁ ଖାଦ୍ୟ ପସନ୍ଦ ବିଷୟରେ ପରାମର୍ଶ ଦେବା ଉଚିତ ।“ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହି ପ୍ରକଳ୍ପଟି ଘରୋଇକରଣ  ସହ, ସୁସ୍ଥ ଦିନାଚାର୍ଯ୍ୟ  ଗଠନ ପାଇଁ ଆନୁଷ୍ଠାନିକ ଏବଂ ପାରିବାରିକ  ପ୍ରୟାସର ସମନ୍ୱିତ ରହିବା ଅବଶ୍ୟକ ।