କନକ ବ୍ୟୁରୋ : ଭାରତରୁ କିଏ ବ୍ୟାଙ୍କ ଠକେଇ କରି ବିଦେଶ ପଳାଇ ଯାଇଛି ତ କିଏ ଅର୍ଥ ହେରଫେର ମାମଲାରେ ଭାରତ ଛାଡି ବିଦେଶରେ ଆଡ୍ଡା ଜମାଇଛି । ସେହିଭଳି ଅନେକ ସଂଗୀନ ମାମଲାର ଅନେକ ଅଭିଯୁକ୍ତ ଏବେ ବିଦେଶରେ ଅୟସ ଆରାମରେ ଜୀବନ କାଟୁଛନ୍ତି । ହେଲେ ଏମାନଙ୍କ ସଂଖ୍ୟା ହଜାର ହଜାର ଥିବା ବେଳେ ସିବିଆଇ ତରଫରୁ ଗତ ୫ ବର୍ଷ ମଧ୍ୟରେ ଏମାନଙ୍କ ମଧ୍ୟରେ ଆଇନର ଲଢେଇ ଲଢ଼ି ୧୩୪ ଜଣଙ୍କୁ ବିଦେଶରୁ ଫେରାଇଆଣିବାରେ ସଫଳ ହୋଇଛି । ୨୦୧୦ ରୁ ୨୦୧୯ ମଧ୍ୟରେ ଯେତିକି ପଳାତକଙ୍କୁ ବିଦେଶରୁ ଫେରାଇ ଆଣାଯାଇଥିଲା ତାହା ୨୦୧୯ ରୁ ୨୦୨୪ ମଧ୍ୟରେ ଦୁଇଗୁଣା ବୃଦ୍ଧି ପାଇଛି । ୨୦୧୦ ରୁ ୨୦୧୯ ମଧ୍ୟରେ ମାତ୍ର ୭୪ ଜଣ ପଳାତକଙ୍କୁ ସିବିଆଇ ଫେରାଇଆଣିବାରେ ସକ୍ଷମ ହୋଇଥିବା ବେଳେ ୨୦୧୯ ରୁ ୨୦୨୪ ମଧ୍ୟରେ ଏହି ସଂଖ୍ୟା ୧୩୪ ରହିଛି । ଏଥିପାଇଁ ସରକାରଙ୍କ କୂଟନୈତିକ ଯୋଗାଯୋଗ, ଭିଭିଆଇପି ଗସ୍ତ, ଦ୍ୱିପାକ୍ଷିକ ସଂପର୍କ, ବୈଷୟିକ ଉନ୍ନତି ଓ ଇଣ୍ଟରପୋଲ ସହ ଉନ୍ନତ ସମନ୍ୱୟ ବଡ଼ କାରଣ ।
ପଳାତକଙ୍କୁ ଫେରାଇଆଣିବାରେ ବୈଦେଶିକ ମନ୍ତ୍ରଣାଳୟର ଭୂମିକା, ବିଶେଷ କରି ରାଷ୍ଟ୍ରଦୂତ ଓ ହାଇକମିସନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ପ୍ରତ୍ୟାର୍ପିତ ହୋଇଥିବା ପଳାତକଙ୍କ ମଧ୍ୟରେ ବିଶେଷ କରି ନିରବ ମୋଦୀଙ୍କ ସଂପର୍କୀୟ ନେହଲ ମୋଦୀ ରହିଛନ୍ତି ।
ସେହିଭଳି ୨୦୨୫ ମସିହାରେ ୟୁଏଇରୁ ଅନେକ ପଳାତକଙ୍କୁ ଫେରାଇ ଆଣାଯାଇଛି । ଯାହା ମଧ୍ୟରେ ବିଶେଷ କରି ମୁମ୍ବାଇର ମୋଷ୍ଟ ୱାଣ୍ଟେଡ ଡ୍ରଗ୍ସ ଚୋରା ଚାଲାଣକାରୀ ତାହେଲ ସଲିମ୍, ଗୁଜରାଟର ଲୁଟେରା ପବନ ଜୈନ୍, ନକଲି ନୋଟ୍ ଚୋରା ଚାଲାଣକାରୀ ମୋଦୀନାବା ଉମେର ବେରି ଏବଂ ମୁହେଲ ବଶିର ସାମିଲ ।