କନକବ୍ୟୁରୋ : ତାମିଲନାଡୁ କରୁର୍ ଦଳାଚକଟା ଘଟଣାର ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ତିନିଜଣିଆ କମିଟି ତଦନ୍ତର ଅନୁଧ୍ୟାନ କରିବେ । ଗତ ସେପ୍ଟେମ୍ବର ୨୭ ତାରିଖରେ ତାମିଲନାଡୁର କରୁରରେ ଅଭିନେତାରୁ ନେତା ବନିଥିବା ଟିଭିକେ ମୁଖ୍ୟ ଥାଲାପତି ବିଜୟଙ୍କ ବିଶାଳ ରାଲିରେ ଦଳାଚକଟା ହୋଇଥିଲା ।
ଏଥିରେ ୪୧ ଜଣ ପ୍ରାଣ ହରାଇଥିଲେ ଓ ୬୦ରୁ ଅଧିକ ଲୋକ ଆହତ ହୋଇଥିଲେ । ୧୦ ହଜାର ଲୋକ ଏକାଠି ହୋଇପାରିବା ଭଳି ଜାଗାରେ ୩୦ ହଜାରରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ । ସମାବେଶ ସ୍ଥଳରେ ଦଳାଚକଟା ହୋଇଥିଲା । ଘଟଣାର ସିବିଆଇ ତଦନ୍ତ ପାଇଁ ପ୍ରଥମେ ମାଡ୍ରାସ ହାଇକୋର୍ଟରେ କିଛି ଲୋକ ଆବେଦନ କରିଥିଲେ । ହାଇକୋର୍ଟ ଏହାକୁ ଅଗ୍ରାହ୍ୟ କରି ଏସଆଇଟି ଗଠନ କରିଥିଲେ । ପରେ ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ଆଦେଶ ଦେଇଛନ୍ତି । ତିନିଜଣିଆ କମିଟି ତଦନ୍ତର ଅନୁଧ୍ୟାନ କରିବେ ।