କନକ ବ୍ୟୁରୋ: ସେଦିନ ଥିଲା ୨୦୧୮ ମସିହା ଜୁଲାଇ ୨୪ ତାରିଖ । ଓଡି ୦୨ ଏଡବ୍ଲ୍ୟୁ ୬୮୫୫ ନମ୍ବର ଥିବା ଏକ ଗାଡ଼ି ଧକ୍କାରେ କେଉଁଝର ଜିଲ୍ଲା ଘଟଗାଁ ଥାନା ଅଧୀନ କୁମାରୀ ଅମ୍ବିକା ଦାସଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମାଆ ହୀରାମଣି ଦାସଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଥିଲା । ଝିଅର ମୃତ୍ୟୁ ପରେ, ବୀମା ବାବଦକୁ ଲକ୍ଷ ଲକ୍ଷ ଟଙ୍କା ପାଇଥିଲେ । ଆଉ ଯାହାକୁ ନେଇ ବୀମା ଜାଲିଆତି ସନ୍ଦେହ କରିଥିଲା ବୀମା କମ୍ପାନି । ହାଇକୋର୍ଟଙ୍କ ଦ୍ବାରସ୍ଥ ପରେ, ନିରପେକ୍ଷ ଓ ସ୍ବଚ୍ଛ ତଦନ୍ତ ପାଇଁ ସିବିଆଇକୁ ତଦନ୍ତ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ବୀମା ଟଙ୍କା ପାଇଥିବା ଏହି ପରିବାରଙ୍କ ଠାରୁ ତଦନ୍ତ ଆରମ୍ଭ କରିବ ସିବିଆଇ ଟିମ୍ ।
 
ସେପଟେ ଓଡ଼ିଶା ପୁଲିସକୁ ଜେରା କରିବ ସିବିଆଇ । ୩୦ଟି ଥାନାରେ, ୩୩ଟି ବୀମା ଜାଲିଆତି ମାମଲାକୁ ନେଇ ଘାଣ୍ଟିବ ସିବିଆଇ ଟିମ୍ । ୩୩ ଜଣ ତଦନ୍ତକାରୀ ଅଧିକାରୀଙ୍କୁ ଝାଳିବୁହା ଜେରା ସହ, ବୀମା ଏଜେଣ୍ଟଙ୍କୁ ବି ପଚରା ଉଚରା କରାଯିବ । ବୀମା ଟଙ୍କା ପାଇଥିବା ବ୍ୟକ୍ତି ବିଶେଷଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ଏନେଇ ୨୪ଟି ମାମଲାର ଫାଇଲ ଖୋଲିଥିବା ସିବିଆଇ ସୂଚନା ଦେଇଛି । ତେବେ ଏହି ଫାଇଲ ଖୋଲିଲେ, ତଦନ୍ତକାରୀ ପୁଲିସ ଅଧିକାରୀଙ୍କ ପାଇଁ ଅଡୁଆ ବଢିବ ବୋଲି କହିଛନ୍ତି ଆଇନଜୀବୀ ।
 
କିଏ, କେମିତି ଓ କେଉଁ ଉପାୟରେ ଖାଇଛନ୍ତି ବୀମା ଟଙ୍କା ? ବୀମା ଟଙ୍କା ହଡ଼ପ ପାଇଁ କେମିତି ହୁଏ ଚକ୍ରାନ୍ତ ?  କେମିତି ବୀମା କମ୍ପାନିକୁ ଶୋଷି ମିଲି ଭଗତରେ ଚାଲେ ଟଙ୍କା ଭାଗବଣ୍ଟା ? ସେନେଇ ଗୋଟି ଗୋଟି କରି ଗୋହି ଖୋଳିବ ସିବିଆଇ। ତଦନ୍ତ ପରେ ହିଁ ସେସବୁର ପୋଲ ଖୋଲିବ ସିବିଆଇ । 

Advertisment