କନକ ବ୍ୟୁରୋ: ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ସିବିଆଇ ଯେତିକି ଘାଣ୍ଟୁଛି, ସେତିକି ଅଧିକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ଏହି ପୂରା ଟେଣ୍ଡର କାରବାରରୁ ରାଜନେତାଙ୍କ ସମ୍ପୃକ୍ତିର ଗନ୍ଧ ବାହାରିବା ପରେ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ। ବିଶେଷ କରି କେଉଁ ପ୍ରଶାସନିକ ଅଧିକାରୀଙ୍କୁ ସନ୍ତୁଷ୍ଟ କରିବାକୁ ମର୍ସିଡିଜ ସାଇକେଲ ଦିଆଯାଇଥିଲା ତାହାର ବି ତନାଘନା କରୁଛନ୍ତି ତଦନ୍ତକାରୀ ଅଧିକାରୀ।
- ୩ ଅଭିଯୁକ୍ତଙ୍କୁ ପୁଣି ୫ ଦିନ ଘାଣ୍ଟିବ ସିବିଆଇ
- ଦିଲ୍ଲୀରୁ ଆୟକର ଅଫିସରଙ୍କୁ ଡାକିଲା ସିବିଆଇ
- ଖୋଲିବ ନେତା-ବାବୁଙ୍କ ଲିଙ୍କ
ରିମାଣ୍ଡ ବଢୁଛି, ସୁରାକ ମିଳୁଛି। ନିଜକୁ ବଞ୍ଚାଇବାକୁ ଯାଇ ମିଛ କହି ଧରାପଡୁଛନ୍ତି ଅଭିଯୁକ୍ତ। ଶୀତୁଆ ରାତିରେ ଝାଳବୁହା ଜେରା କରି ସତ ଉଗାରୁଛି ସିବିଆଇ। ଗୋଟି ଗୋଟି କରି ତଥ୍ୟ ପାଇବାକୁ ନୂଆ ନୂଆ ତରିକା ଆପଣାଉଛି ଦିଲ୍ଲୀର ଏହି ସ୍ବତନ୍ତ୍ର ଟିମ୍। ଜେରା ବେଳେ ଅଭିଯୁକ୍ତ କହିଛନ୍ତି, ଟଙ୍କା କାରବାର ପଛର ଅସଲ ସତ।
ସିବିଆଇ ସୂଚନା ଅନୁସାରେ, ପଚରାଉଚରା ବେଳେ ବ୍ରିଜ ଆଣ୍ଡ ରୁଫ କମ୍ପାନିର ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଳ ମୁଖାର୍ଜୀଙ୍କ ଚଞ୍ଚକତା ସାମ୍ନାକୁ ଆସିଛି। ଠିକାଦାର ସନ୍ତୋଷ ମହାରଣାଙ୍କ ଠାରୁ ଆଣିଥିବା ୧୦ ଲକ୍ଷର କଳା ଟଙ୍କାକୁ ଧଳା କରିବାକୁ ସୁପର କ୍ଲାସ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ରଙ୍କୁ ଦେଉଥିଲେ। ଆଉ ଏହି ଟଙ୍କା କୁଆଡେ ହାୱଲା କାରବାର ଜରିଆରେ ଚଞ୍ଚଳଙ୍କ ଘରକୁ ପହଞ୍ଚାଉଥିଲେ କଣ୍ଟ୍ରାକ୍ଟର। ଏମିତି ମିଲିଭଗତରେ ଖାଇପିଇ ଖୋଳ କରିଥିଲେ ସରକାରୀ ବାବୁ ଓ କଣ୍ଟ୍ରାକ୍ଟର।
ସେପଟେ ଅଭିଯୁକ୍ତଙ୍କ ଆକାଉଣ୍ଟ ଟ୍ରାଞ୍ଜାକସନ ଦେଖି ତାଜୁବ ସିବିଆଇ। ଟଙ୍କା ନେଣଦେଣର ଥଳକୂଳ ପାଉନଥିବା ସିବିଆଇ ଆୟକର ବିଭାଗର ସାହାଯ୍ୟ ଲୋଡିଛି। ଖାସ୍ ଏଥିପାଇଁ ଦିଲ୍ଲୀର ଏହି ଆୟକର ବିଭାଗ ଅଫିସର ସ୍ବତନ୍ତ୍ର ଭାବେ ଭୁବନେଶ୍ବର ସିବିଆଇ ଅଫିସରେ ପହଞ୍ଚିଛନ୍ତି। ଏହି ଆକାଉଣ୍ଟରୁ ପଲିଟିକାଲ ଲିଙ୍କ୍ ସହ ବ୍ୟୁରୋକ୍ରାଟଙ୍କ ସମ୍ପର୍କର ସୁରାକ ପାଇଛି ସିବିଆଇ। ତେବେ ୩ ଅଭିଯୁକ୍ତଙ୍କୁ ପୁଣି ୫ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ। ସିବିଆଇ ଖୋଜୁଛି..
- ହାୱଲା କାରବାର ପଛର ଅସଲ ଖଳନାୟକ କିଏ?
- ଟେଣ୍ଡର ଫିକ୍ସିଂ ପଛରେ କାମ କରୁଥିଲା କି ଅଦୃଶ୍ୟ ଶକ୍ତି?
- ମର୍ସିଡିଜ ସାଇକେଲ ଉପହାର ପାଇଥିବା ବ୍ୟୁରୋକ୍ରାଟ କିଏ?
- କେଉଁ ନେତା ମାଧ୍ୟମରେ ହୋଇଥିଲା କୋଟି କୋଟି ଟଙ୍କାର ଟେଣ୍ଡର ଡିଲ୍?