କନକ ବ୍ୟୁରୋ: କୋଲକାତାର ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବଡ଼ ଅପଡେଟ୍। ପିଡୀତାଙ୍କ ସହ ଗଣଦୁଷ୍କର୍ମ ହୋଇନାହିଁ ବୋଲି ସୁପ୍ରିମକୋର୍ଟରେ ସିବିଆଇ ପକ୍ଷରୁ ଦାଖଲ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ସଞ୍ଜୟ ହିଁ ଏକମାତ୍ର ଅଭିଯୁକ୍ତ, ସଞ୍ଜୟ ହିଁ ଦୁର୍ଷ୍କମ କରିବା ସହ ମହିଳା ଡାକ୍ତରଙ୍କୁ ହତ୍ୟା କରିଛି ବୋଲି ସିବିଆଇ ନିଜ ରିପୋର୍ଟରେ ଦର୍ଶାଇଛି। 

ସେପଟେ ମାମଲା ପରିଚାଳନାରେ ତ୍ରୁଟିକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ। ପୂର୍ବରୁ ମୃତ ମହିଳା ଡାକ୍ତର ଗଣଦୁଷ୍କର୍ମର ଶିକାର ହୋଇ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଥିବା ବେଳେ ସିବିଆଇ ଦାଖଲ କରିଥିବା ଫରେନସିକ୍ ରିପୋର୍ଟରେ ଏହା ଉଲ୍ଲେଖ ନାହିଁ। ଉଭୟ ସିବିଆଇ ଓ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଦାଖଲ ଷ୍ଟାଟସ ରିପୋର୍ଟକୁ ସମୀକ୍ଷା କରିବା ମାମଲାର ଶୁଣାଣି କରୁଛନ୍ତି ସର୍ବୋଚ୍ଚ ଅଦାଲତ । ମମତା ସରକାରଙ୍କ ପକ୍ଷରୁ କୋର୍ଟରେ ୧୫ଜଣ ଆଇନଜୀବୀ ଉପସ୍ଥିତ ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ୫ଜଣ ବରିଷ୍ଠ ଆଇନଜୀବୀ ପହଁଚିଛନ୍ତି ।

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ଦେଶବ୍ୟାପୀ ନିନ୍ଦା କରାଯାଉଥିବା ବେଳେ ବିଭିନ୍ନ ସରକାରୀ, ବେସରକାରୀ ଡାକ୍ତରଖାନା ଗୁଡିକରେ ଆନ୍ଦୋଳନ ଜାରୀ ରହିଛି। ମଙ୍ଗଳବାରର ଶୁଣାଣିରେ ଏହି ମାମଲା ପରିଚାଳନାରେ ବିଭିନ୍ନ ତ୍ରୁଟି ଦର୍ଶାଇ ପଶ୍ଚିମବଙ୍ଗ ସରକାରଙ୍କୁ ଭର୍ତ୍ସନା କରିଥିଲେ କୋର୍ଟ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଜଷ୍ଟିସ୍ ଜେବି ପାରଦୀୱାଲା ଏବଂ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କରୁଛନ୍ତି।