କନକ ବ୍ୟୁରୋ : ଇଡି କାର୍ଯ୍ୟାଳୟରେ ସିବିଆଇର ଚଢାଉ । କଥାଟି ଶୁଣିଲେ ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଖବର ଟି ସମ୍ପୂର୍ଣ୍ଣ ସତ । ଶିମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କ ଘରେ ସିବିଆଇ ଚଢାଉ କରିଛି ।
ଏହି ଚଢାଉରେ ପ୍ରଚୁର ଅର୍ଥରାଶି ଜବତ ହୋଇଛି । ଏହି ଜବତ ଅର୍ଥ ପାଖାପାଖି ୫୬ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ରେଡ୍ ପରେ ଇଡି ଅଫିସର ଫେରାର ହୋଇଯାଇଥିବା ସୂଚନା । ସିବିଆଇର ସୂଚନା ଅନୁସାରେ ଇଡି ଅଫିସରଙ୍କ ଉପରେ ତିନି ବର୍ଷ ପୁରୁଣା ମନି ଲଣ୍ଡରିଙ୍ଗ ଆକ୍ଟ ମାମଲା ରେ ଲାଞ୍ଚ ନେବା ଅଭିଯୋଗ ଲାଗିଛି । ଏଥିସହିତ ଅଭିଯୁକ୍ତ ଅଫିସରଙ୍କ ଭାଇଙ୍କୁ ମଧ୍ୟ ସିବିଆଇ ଏହି ମାମଲାରେ ଜେଲ୍ ପଠାଇଥିଲା ।
ଏହା ପୂର୍ବରୁ ୨୨ ଡିସେମ୍ବରରେ ମଧ୍ୟ ଚଢାଉ କରି ଇଡି ଅଫିସରଙ୍କ ଅନ୍ୟ ଏକ ଘରୁ ୫୪ ଲକ୍ଷ ଟଙ୍କା ଜବତ କରିଥିଲା ସିବିଆଇ । ତେବେ ଏପର୍ଯ୍ୟନ୍ତ ପାଖାପାଖି ୧୧ କୋଟି ଟଙ୍କା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କ ଘରୁ ଜବତ କରିଛି ସିବିଆଇ ।