କନକ ବ୍ୟୁରୋ : ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି । ଇଡ଼ି ପରେ ଆଜି ସିବିଆଇ ୧୭ ହଜାର କୋଟି ଟଙ୍କା ହେରଫେର ମାମଲାରେ ଅନୀଲ ଅମ୍ବାନୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ଜାରି ରଖିଛି । ସିବିଆଇର ୭ ରୁ ୮ ଜଣ ଅଧିକାରୀ ଆଜି ସକାଳ ୭ଟାରୁ ଅନୀଲ ଅମ୍ବାନୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ଜାରି ରଖିଛି । 

Advertisment

ଅନୀଲ ଅମ୍ବାନୀ ତାଙ୍କ ବାସଭବନରେ ଥିବା ବେଳେ ସିବିଆଇ ଅଧିକାରୀମାନେ କଫ ପରେଡ୍ ସିୱିଣ୍ଡ ସ୍ଥିତ ତାଙ୍କ ବାସଭବନରେ ସକାଳ ୮ଟାରୁ ସର୍ଚ୍ଚ ଅପରେସନ ଜାରି ରଖିଛି । ଏହା ପୂର୍ବରୁ ଅନୀଲ ଅମ୍ବାନୀଙ୍କୁ ଇଡି ମଧ୍ୟ ଜେରା କରିଥିଲା । ଇଡି ଓ ଏବେ ସିବିଆଇର ଚଢାଉ ପରେ କୁହାଯାଉଛି କି, ଅନୀଲ ଅମ୍ବାନୀଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି । 

ସୂତ୍ର ସୂଚନା ମୁତାବକ ସିବିଆଇ ଅନୀଲ ଅମ୍ବାନୀଙ୍କ ଘର ଓ ଅନ୍ୟ କିଛି ଠିକଣାରେ ୧୭ ହଜାର କୋଟି ଟଙ୍କାର ଲୋନ ହେରଫେର ନେଇ ଦସ୍ତାବିଜ୍ ଖୋଜୁଛି । ୟସ ବ୍ୟାଙ୍କ ଓ ଅନୀଲ ଅମ୍ବାନୀଙ୍କ କମ୍ପାନି ମଧ୍ୟରେ ହୋଇଥିବା ନେଣଦେଣର ଦସ୍ତାବିଜ ଖୋଜୁଛି । 

ଏହା ପୂର୍ବରୁ ଇଡିର ଚଢାଉ ବେଳେ ଅନେକ ଗୁରତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ମିଳିଥିଲା । ଯେମିତି କି ବିନା ଯାଂଚରେ କମ୍ପାନିକୁ ଲୋନ ଦେବା, ଅନେକ କମ୍ପାନିର ଜଣେ ନିର୍ଦ୍ଦେଶକ ଓ ଗୋଟିଏ ଠିକଣା ଥିବା, ଲୋନ ଦେବା ପାଇଁ ନିର୍ଦ୍ଧାରିତ କାଗଜପତ୍ର ନଥାଇ ଲୋନ ଦେବା ଭଳି ଅଭିଯୋଗ ରହିଛି ।