କନକ ବ୍ୟୁରୋ : ଟେଣ୍ଡର ଫିକ୍ସିଂକୁ ନେଇ କନକ ନ୍ୟୁଜ ପକ୍ଷରୁ ଯାହା ସନ୍ଦେହ କରାଯାଉଥିଲା ତାହା ସତ ହୋଇଛି। ଏହି ମାମଲାର ଗୁମର ଧିରେ ଧିରେ ଫିଟୁଛି। ଏବେ ଏହି ମାମଲାରେ ସଚିବ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ନୋଟିସ ପଠାଇଛି । ସମନରେ ସ୍ପଷ୍ଟ ଭାବରେ ଡିସେମ୍ବର ୧୧ତାରିଖ ଦିନ ୧୦ଟା ବେଳେ ନୂଆପଲ୍ଲୀସ୍ଥିତ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା। ଏଥିସହ ଚିଠିରେ ଉଲେଖ ରହିଛି, ଭୁବନେଶ୍ବରରେ ଟେଣ୍ଡର ଫିକ୍ସିଂ ଓ ୧୦ଲକ୍ଷ ଟଙ୍କା କାରବାର ମାମଲାରେ ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏ ମାମଲା ସମ୍ପର୍କରେ ଆପଣଙ୍କ ପାଖରେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଛି । ତେଣୁ ସେହି ତଥ୍ୟ ଯୋଗାଇଦେବା ସହ ତଦନ୍ତରେ ସହଯୋଗ କରିବାକୁ ଅନୁରୋଧ ।
ବିଷ୍ଣୁପଦଙ୍କ ସହ ତାଙ୍କ ତିନି ଡ୍ରାଇଭରଙ୍କୁ ମଧ୍ୟ ନୋଟିସ୍ କରିଛି ସିବିଆଇ। ଶନିବାର ନୃସିଂହ ଶତପଥି ନାମକ ଡ୍ରାଇଭର ସିବିଆଇରେ ହାଜର ହୋଇଛନ୍ତି। ତାଙ୍କଠାରୁ ବିଷ୍ଣୁପଦଙ୍କ ଦିନତମାମର ରୁଟିନ୍ ବାବଦରେ ପଚାରିଛନ୍ତି ସିବିଆଇ ଅଧିକାରୀ। ଏଥିସହ ଆଉ କିଛି ତଥ୍ୟ ହାସଲ କରିବାକୁ ପଚରାଉଚୁରା କରିଛନ୍ତି। ସିବିଆଇ କାର୍ଯ୍ୟାଳୟରୁ ବାହାରିବା ପରେ ପ୍ରତିକ୍ରୀୟା ରଖିଛନ୍ତି। କହିଛନ୍ତି, କେବଳ ତାଙ୍କୁ ନୁହେଁ, ଆହୁରି ଦୁଇ ଜଣ ଡ୍ରାଇଭରଙ୍କୁ ଜେରା କରିଛନ୍ତି ସିବିଆଇ ଅଧିକାରୀ। ଏହାସହ ବାବୁ ଅନ୍ୟ ମାନଙ୍କ ଗାଡ଼ିରେ ବି ଯିବା ଆସିବା କରନ୍ତି। ତେବେ ଏ ବିଷୟରେ କିଛି ଜାଣିନାହାନ୍ତି, ଯାହା ଜାଣିଛନ୍ତି ତାହା ସିବିଆଇ ଆଗରେ କହିଛନ୍ତି ଏବଂ ଏଥିରେ ତାଙ୍କର କିଛି ସଂପୃକ୍ତି ନାହିଁ।
ତେବେ ସିବିଆଇର ସମନ ନେଇ ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀ ମୁହଁ ଖୋଲି ନାହାନ୍ତି। ଅନ୍ୟପକ୍ଷରେ ସିବିଆଇ ଆଇଏଏସ୍ ଶ୍ରୀ ସେଠୀଙ୍କ ଡ୍ରାଇଭରମାନଙ୍କ ତାଲିକା ମାଗିଛି। ସେ ଯେଉଁସବୁ ବିଭାଗ ଦାୟିତ୍ୱରେ ରହିଛନ୍ତି ତାର ପୂରା ବିବରଣୀ ଦେବାକୁ କହିଛନ୍ତି।