କନକ ବ୍ୟୁରୋ : ଅନୁଗୁଳ ଜରପଡ଼ା ଛକ ନିକଟରେ ଓଲଟିଲା ଗ୍ୟାସ ଟ୍ୟାଙ୍କର । ଛତିଶଗଡରୁ ଅନୁଗୁଳ ଅଭିମୁଖେ ଆସୁଥିବା ଏକ କମ୍ପ୍ରେସଡ୍ ବାୟୋ ଗ୍ୟାସ୍- CBG ଟ୍ୟାଙ୍କର ବିଳମ୍ବିତ ରାତିରେ ଜରପଡ଼ା ଛକ ନିକଟସ୍ଥ ପେଟ୍ରୋଲ ପମ୍ପ ପାଖରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଖବର ପାଇ ଜରପଡା ଥାନା ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଦୁଇ ପାଖ ରାସ୍ତା ଅବରୋଧ କରିବା ସହ ଦମକଳ ବାହିନୀକୁ ଖବର ଦେଇଥିଲା ।

Advertisment

ଟ୍ୟାଙ୍କରରେ ବିପଦପୂର୍ଣ୍ଣ ତଥା ଦହନଶୀଳ ଗ୍ୟାସ୍ ଥିବାରୁ ଦୁଇଟି ଦମକଳ ଆସି ଗାଡ଼ିକୁ ଜଗି ରହିଛନ୍ତି । ଏପଟେ ଅଗ୍ନିକାଣ୍ଡ ଭୟ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ଘଣ୍ଟା ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହିଛି । ସେହିପରି ଟ୍ୟାଙ୍କର ଓଲଟିବା କାରଣରୁ କୌଣସି ବିପଦ ଆଶଙ୍କା ରହିଛି କି ନାହିଁ CBG ଟେକ୍ନିକାଲ ଟିମ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ୍ କରୁଛନ୍ତି ।

ଅଧିକ ପଢ଼ନ୍ତୁ : ଟ୍ରେଲରକୁ ପଛପଟୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ; ଜଳିଗଲା ଦୁଇ ଟ୍ରକ, ୨ ଗୁରୁତର

ସେପଟେ ଦୁର୍ଘଟଣା ପରେ ହୁତୁ ହୁତୁ ହୋଇ ଜଳିଗଲା ଦୁଇଟି ଟ୍ରକ । ଭୟଙ୍କର ଦୁର୍ଘଟଣା ଯୋଗୁଁ ଘଟିଲା ଅଘଟଣ, ଦୁଇ ଗୁରୁତର । ସୁଚନା ଅନୁଯାୟୀ ୬୦ ନଂ ଜାତୀୟ ରାଜପଥ ବସ୍ତା ବାଇପାସ୍ ନିକଟରେ ଟ୍ରେଲରକୁ ପଛପଟୁ ଗୋଟିଏ କୋଇଲା ବୋଝେଇ ଟ୍ରକ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା । ଫଳରେ ଦୁଇଟି ଯାକ ଟ୍ରକରେ ନିଆଁ ଲାଗି ଯାଇଥିଲା । ଚାହୁଁ ଚାହୁଁ ଦୁଇଟି ଯାକ ଟ୍ରକ ହୁତୁ ହୁତୁ ହୋଇ ଜଳି ଯାଇଥିଲା । ଘଟଣା ସ୍ଥଳରେ ରାଜପଥ ପେଟ୍ରୋଲିଂ ଟିମ୍ ପହଞ୍ଚି ବସ୍ତା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି । ଗୁରୁତରଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବସ୍ତା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।