କନକ ବ୍ୟୁରୋ: ଅପରେସନ ସିନ୍ଦୂରରେ ସମୟରେ ବା ପରେ ଯାହା ଅନୁମାନ କରାଯାଉଥିଲା ତାହା ଠିକ ସାବ୍ୟସ୍ତ ହୋଇଛି । ଅର୍ଥାତ ଭାରତ ପାକିସ୍ତାନରେ ସାମରିକ ଆକ୍ରମଣ ସମୟରେ ପାକିସ୍ତାନ ମୁହଁ ବୋଲା ଭାଇ କୁହାଯାଉଥିବା ଚୀନ ଆତଙ୍କୀସ୍ତାନକୁ ବଡ ସାହାଯ୍ୟ କରିଥିଲା । ଅପରେସନ ସମୟର ଟିକିନିକି ଅପଡେଟ୍ ପାକିସ୍ତାନକୁ ପ୍ରଦାନ କରୁଥିଲା ଚୀନ । ଖାଲି ସେତିକି ନୁହେଁ ଯୁଦ୍ଧ ସମୟରେ ଚାଲାକ୍ ଚୀନ ନିଜର ଅସ୍ତ୍ରଶସ୍ତ୍ର ପାକିସ୍ତାନକୁ ପ୍ରଦାନ କରି ନିଜ ଅସ୍ତ୍ରଶସ୍ତ୍ରକୁ ମଧ୍ୟ ପରୀକ୍ଷା କରିଥିଲା 

Advertisment

ପାକିସ୍ତାନ ବିପକ୍ଷରେ ଭାରତର ଅପରେସନ ସିନ୍ଦୂର ସଫଳତା କାହାକୁ ଅଛପା ନାହିଁ । ହେଲେ ସେତବେଳେ ଭାରତ ଖାଲି ପାକିସ୍ତାନ ସହ ଲଢୁନଥିଲା ଭାରତ ସୀମାରେ ଅନ୍ୟ ୨ଦେଶ ସହ ମଧ୍ୟ ଲଢେଇ କରୁଥିଲା । ପ୍ରଥମ ଦେଶଟି ହେଉଛି ଚୀନ ଆଉ ଦ୍ବିତୀୟ  ଦେଶଟି ହେଉଛି ତୁର୍କୀ । ଚୀନ ପାକିସ୍ତାନକୁ ‘ଲାଇଭ ଲ୍ୟାବ’ ଭାବେ ବ୍ୟବହାର କରୁଥିଲା, ଲେଫ୍ଟନାଣ୍ଟ ଜେନେରାଲ ରାହୁଲ ଆର. ସିଂହ ଅପରେସନ ସିନ୍ଦୂର ସମୟରେ ଭାରତର ଶିକ୍ଷା ସମ୍ପର୍କରେ ଗୁରୁତ୍ଵପୂର୍ଣ୍ଣ ଖୁଲାସା କରିଛନ୍ତି । ଫିକ୍କି ଆୟୋଜିତ ‘ନୂଆ ଯୁଗର ସାମରିକ ପ୍ରଯୁକ୍ତି’ କାର୍ୟ୍ୟକ୍ରମରେ ସେନା ଉପମୁଖ୍ୟ କହିଛନ୍ତି, “ଚୀନ ପାକିସ୍ତାନକୁ ଏକ ଲାଇଭ ଲ୍ୟାବ ଭାବେ ବ୍ୟବହାର କରି ନିଜର ଅସ୍ତ୍ରଶସ୍ତ୍ର ପରୀକ୍ଷା କରୁଥିଲା । ଉପମୁଖ୍ୟ ରହୁଲ ଆର ସିଂହ ଆହୁରି କହିଛନ୍ତି , ପାକିସ୍ତାନର ୮୧% ସାମରିକ ଉପକରଣ ଚୀନ୍‌ରୁ ଆସିଛି ।

ଅପରେସନ ସିନ୍ଦୂର ସମୟରେ ଚୀନ୍‌ ପାକିସ୍ତାନ୍‌କୁ ଭାରତୀୟ ସୈନ୍ୟ ଠିକଣା ସହ ଗତିର ଲାଇଭ ଅପଡେଟ୍ ଯୋଗାଇ ଦେଉଥିଲା । ଏହା ସହ ତୁର୍କୀ ପାକିସ୍ତାନକୁ ଡ୍ରୋନ୍‌ ଯୋଗାଇ ସହାୟତା କରିଥିଲା । ଭାରତ ନଷ୍ଟ କରିଥିବା କିଛି ଡ୍ରୋନ ତୁର୍କିରୁ ନିର୍ମିତ । ଏପ୍ରିଲ ୨୨ରେ ଜମ୍ମୁ ଓ କାଶ୍ମୀରର ପହାଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣରେ ୨୬ ଜଣ ନାଗରିକ ନିହତ ହୋଇଥିଲେ । ଜବାବରେ ମେ ୭ରେ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା, ଯେଉଁଥିରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଅନେକ ଆତଙ୍କୀ ଠିକଣା ଧ୍ୱଂସ କରାଯାଇଥିଲା । ଲେଫ୍ଟନାଣ୍ଟ ଜେନେରାଲ ସିଂହ କହିଛନ୍ତି,  ସୀମାରେ ଥିଲେ ତିନି ଶତ୍ରୁ, ଏହା ଚୀନ ପାଇଁ ଏକ ଲାଇଭ ଲ୍ୟାବ ପରି ଥିଲା । ସିଂହ ଜୋର ଦେଇ କହିଛନ୍ତି , ଭାରତକୁ ଭବିଷ୍ୟତରେ ଏୟାର ଡିଫେନ୍ସ ସିଷ୍ଟମ୍‌କୁ ଆହୁରି ମଜଭୁତ କରିବା ଆବଶ୍ୟକ, କାରଣ ଆଗକୁ ଏପରି ଚ୍ୟାଲେଞ୍ଜର ସମ୍ମୁଖୀନ ହେବା  ପାଇଁ ଆମକୁ ଏକ ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ପ୍ରଣାଳୀର ଆବଶ୍ୟକତା ଅଛି । 

ଲେଫ୍ଟନାଣ୍ଟ ଜେନେରାଲ ସିଂହ ଆଧୁନିକ ଯୁଦ୍ଧରେ ଡ୍ରୋନ, ଆଣ୍ଟି-ଡ୍ରୋନ ସିଷ୍ଟମ ଏବଂ ଦୂରଗାମୀ କ୍ଷପଣାସ୍ତ୍ର ଗୁଡ଼ିକର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ଶେଷରେ ସିଂହ କହିଥିଲେ, ଆମର ଗୋଟିଏ ସୀମା ଥିଲା ଏବଂ ଦୁଇଟି ପ୍ରତିଦ୍ୱନ୍ଦ୍ୱୀ, କିନ୍ତୁ ପ୍ରକୃତରେ ଥିଲେ ତିନି । ପାକିସ୍ତାନ ଆଗରେ ଥିଲା । ଚୀନ୍ ସମସ୍ତ ପ୍ରକାରର ସମର୍ଥନ ଯୋଗାଇ ଦେଉଥିଲା । ଯେତେବେଳେ ଡିଜିଏମଓ-ସ୍ତରୀୟ ଆଲୋଚନା ଚାଲିଥିଲା, ପାକିସ୍ତାନ ପ୍ରକୃତରେ ଉଲ୍ଲେଖ କରୁଥିଲା ଯୁଦ୍ଧକୁ ଭାରତ ବନ୍ଦ କରୁ ,କାରଣ ପାକିସ୍ତାନ ଜାଣିସାରିଥିଲା ଭାରତ ଶକ୍ତିକୁ ।