କନକ ବ୍ୟୁରୋ: ଶ୍ରୀମନ୍ଦିର ଚାରିପଟେ ଆଉ ଦେଖାଯାଉନାହାନ୍ତି ଗାଈଗୋରୁ । ଫଳରେ ମାନସିକ କରିଥିବା ଭକ୍ତ ଗାଈମାନଙ୍କୁ ଖାଇବାକୁ ଦେଇପାରୁନାହାନ୍ତି । ଶ୍ରୀମନ୍ଦିର ଭିତରେ ହେଉଥିବା ଜନ୍ମାଷ୍ଟମୀ ନୀତି ବି ପ୍ରଭାବିତ ହେବାକୁ ବସିଲାଣି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଏକ ଗୋଶାଳା କରିବାକୁ ପ୍ରସ୍ତାବ ଦେଇଛନ୍ତି ସେବାୟତ ।
ଏନେଇ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇଛନ୍ତି ଶ୍ରୀମନ୍ଦିର ସେବକ । ବିଭିନ୍ନ ପର୍ବପର୍ବାଣୀରେ ଗୋମୟର ଆବଶ୍ୟକତା ଏବଂ ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ନୀତି ପାଇଁ ଗାଈ କ୍ଷୀରର ଆବଶ୍ୟକତା ମେଣ୍ଟାଇବାକୁ ଦିଆଯାଇଛି ଏଭଳି ପ୍ରସ୍ତାବ । ପରିକ୍ରମା ପ୍ରକଳ୍ପର ଦକ୍ଷିଣ ପୂର୍ବ କୋଣ ତଥା ପେଜନଳା ନିକଟରେ ଗୋମାତାଙ୍କୁ ରଖିବାକୁ ପ୍ରସ୍ତାବ ଦିଆଯାଇଛି ।
ପୂର୍ବରୁ ପେଜନଳା ବାଟେ ଆସୁଥିବା ପେଜ ଏବଂ ପରିବା ଚୋପା ଖାଇବାକୁ ଏଠାରେ ବୁଲୁଥିଲେ ମାଳ ମାଳ ଗାଈ। କିନ୍ତୁ ପରିକ୍ରମା ପ୍ରକଳ୍ପ ନିର୍ମାଣ ପରେ ଏହି ଅଞ୍ଚଳକୁ ଏବେ ବୁଲା ଗାଈଗୋରୁଙ୍କୁ ପୁରାଇ ଦିଆଯାଉନାହିଁ । ଯାହା ଫଳରେ ଉପୁଜିଛି ସମସ୍ୟା । ସେବାୟତଙ୍କ ପ୍ରସ୍ତାବକୁ ବିଚାର କରି ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏବେ କେବଳ ପ୍ରସ୍ତାବ ଆସିଛି । ପରିକ୍ରମା ମାର୍ଗରେ କେଉଁଠି ହେବ ଗୋଶାଳା, କଣ ରହିବ ପ୍ଲାନ୍ ସେନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/09/14/vlcsnap-2025-09-14-19h13m08s382-2025-09-14-19-13-39.png)