କନକ ବ୍ୟୁରୋ : ମହିଳା ନିର୍ଯାତନାକୁ ନେଇ ରାଜ୍ୟରେ ତମ୍ବିତୋଫାନ ଲାଗି ରହିଛି । ସରକାରଙ୍କୁ ଶାଣିତ ଢଙ୍ଗରେ ସମାଲୋଚନା କରିବାକୁ ମହିଳା ନିର୍ଯାତନା ପ୍ରସଙ୍ଗକୁ ଢାଲ କରୁଛନ୍ତି ବିରୋଧୀ । କିନ୍ତୁ ମହିଳାଙ୍କୁ ନ୍ୟାୟ ଦେବାକୁ ଯେଉଁ ଫୋରମ ରହିଛି ତାହା ଯେମିତି କିଛି ବର୍ଷ ହେବ କୋମାକୁ ଚାଲିଯାଇଛି ।  ମହିଳାଙ୍କ ସୁରକ୍ଷାକବଚ ଭାବେ ପରିଚିତ ମହିଳା କମିଶନଙ୍କ କାର୍ଯ୍ୟଶୈଳୀକୁ ନେଇ ଏବେ ପ୍ରଶ୍ନବାଚୀ ଛିଡା ହୋଇଛି । ମହିଳା କମିଶନକୁ ଅଭିଯୋଗ ନେଇ ଗଲେ ନ୍ୟାୟ ମିଳୁନି, ବରଂ ନିରାଶ ହୋଇ ଫେରୁଛନ୍ତି ନିର୍ଯାତିତ ମହିଳା । 

Advertisment

ରାଜ୍ୟ ମହିଳା କମିଶନ ଏବେ କେବଳ ପଦବୀରେ ହିଁ ସୀମିତ । ଭରତପୁର ଘଟଣାରେ ପୀଡିତାଙ୍କୁ ଭେଟିବାକୁ କମିଶନ ଅଧ୍ୟକ୍ଷା ଉଚିତ ମଣିଲେନି । ଠିକ୍ ସେହିଭଳି ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ମହିଳା କମିଶନଙ୍କ ଏଯାଏଁ ଦେଖାଦର୍ଶନ ମିଳୁନି ।  ଭାତ ହାଣ୍ଡିରୁ ଚାଉଳ ଚିପିବା ଭଳି ଏ ୨ଟି ଘଟଣା ହେଉଛି ମହିଳା ନିର୍ଯାତନାକୁ ନେଇ ମହିଳା କମିଶନଙ୍କ ଆଭିମୁଖ୍ୟ । କାର୍ଯ୍ୟାନୁଷ୍ଠାନ ବଦଳରେ କେବଳ ମିଡ଼ିଆରେ ମୁହଁ ଦେଖାରେ ସୀମିତ ରହିଛି କମିଶନ ।  ମହିଳା କମିଶନ ଭଳି ଗୁରୁତ୍ବପୂର୍ଣ୍ଣ ପଦବୀ ଏବେ ରାଜନୈତିକ ଥଇଥାନ କେନ୍ଦ୍ର ପାଲଟିଛି ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ । ନ୍ୟାୟ ପାଇଁ ନିଷ୍ପତ୍ତି ନେବାରେ ବିଳମ୍ବ ହେତୁ ମହିଳା କମିଶନ ଉପରୁ ମହିଳାଙ୍କର ଉଠିଗଲାଣି ଭରସା ।  ଏବେ ପୁଣିଥରେ ସେହି ଭରସା ଫେରାଇ ଆଣିବା ନୂଆ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ । ଯାହାର ଆୟମାରମ୍ଭ ନୂଆ ମହିଳା କମିଶନଙ୍କ ନିଯୁକ୍ତି ପରେ ହେବ ବୋଲି ଚର୍ଚ୍ଚା ବଢିଛି ।