କନକବ୍ୟୁରୋ : ବେଆଇନ ଭାବେ ଶିକ୍ଷକଙ୍କ ବଦଳି କରାଯାଉଥିବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି । ରାଜ୍ୟର ସମସ୍ତ ସ୍କୁଲରେ ୨୦୨୫, ଅଗଷ୍ଟ ୧ ତାରିଖ ସୁଦ୍ଧା ଛାତ୍ରଛାତ୍ରୀ-ଶିକ୍ଷକ ଅନୁପାତ (ପିଟିଆର) ସଂପର୍କିତ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେତେ ଶିକ୍ଷକ ପଦବି ଖାଲି ରହିଛି ଓ ଏହି ପଦପୂରଣ ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି
ସେ ନେଇ ତଥ୍ୟ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠ ସୀତାକାନ୍ତ ସାମଲଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି ଯେ ବହୁ ସମୟରେ ସ୍କୁଲରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବା ସ୍କୁଲରୁ ଶିକ୍ଷକଙ୍କୁ ଅନ୍ୟ ସ୍କୁଲକୁ ବଦଳି କରାଯାଉଛି ।
ଏଥି ସହିତ ବଦଳି ଗାଇଡଲାଇନ ଅନୁସାରେ ଶିକ୍ଷକଙ୍କ ଗୋଟିଏ ସ୍କୁଲରେ ଅବଧି ପୂରଣ ହେବା ପୂର୍ବରୁ ଅନ୍ୟତ୍ର ବଦଳି କରାଯାଉଛି । ଏଭଳି ସ୍ଥିତିରେ ବହୁ ସ୍କୁଲରେ ଛାତ୍ରଛାତ୍ରୀ-ଶିକ୍ଷକ ଅନୁପାତ ବଜାୟ ରଖାଯାଇ ପାରୁ ନାହିଁ। ଏହା ଦ୍ବାରା ଶିକ୍ଷାଦାନର ମାନ ପ୍ରଭାବିତ ହେଉଛି । କେନ୍ଦ୍ର ସରକାରଙ୍କ ନୂଆ ଶିକ୍ଷା ନୀତିରେ ଛାତ୍ରଛାତ୍ରୀ-ଶିକ୍ଷକ ଅନୁପାତ ଧାର୍ଯ୍ୟ କରାଯାଇଛି। ବଢୁଥିବା ଶିଶୁଙ୍କୁ ପ୍ରଦାନ କରାଯାଉଥିବା ଗଣାତ୍ମକ ଶିକ୍ଷା ଉପରେ ଦେଶର ଭବିଷ୍ୟତ ନିର୍ଭର କରୁଛି । ପ୍ରସିଦ୍ଧ ପୁସ୍ତକ 'ଗୋଲ୍ଡେନ୍ ଅପର୍ଚୁନିଟି'ରେ ଏହି ପ୍ରସଂଗରେ ଆଲୋଚନା କରାଯାଇଛି । ଶିକ୍ଷା ଅଧିକାର ସମ୍ବିଧାନର ଧାରା ୨୧ର ଅଂଶବିଶେଷ ବୋଲି ସୁପ୍ରିମକୋର୍ଟଙ୍କ ରାୟ ରହିଛି । ଏଭଳି ସ୍ଥିତିରେ ପ୍ରଶାସନରେ ଏଭଳି ଅଭାବକୁ କୋର୍ଟ ଜାଣି ଶୁଣି ଅଣଦେଖା କରି ପାରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/08/11/highcourt-2025-08-11-11-58-24.jpg)