କନକ ବ୍ୟୁରୋ: ରେଭେନ୍ସାରେ ମଶାଲ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ ଘଟଣା। ୩ ବିଜେଡି ନେତାଙ୍କ ନାମରେ ମାମଲା ରୁଜୁ। ବିଜେଡି ନେତା ବ୍ୟୋମକେଶ ରାୟ, ଲେନିନ ମହାନ୍ତି, ଆକ୍ରମ ଖାନଙ୍କ ନାଁରେ ମାମଲା ରୁଜୁ ହୋଇଛି। ବୁଧବାର ଅନୁଷ୍ଠିତ ହୋଇଥିବା ମଶାଲ ଶୋଭାଯାତ୍ରାରେ ଗଣ୍ଡଗୋଳକୁ ନେଇ ମାଲଗୋଦାମ ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରେଭେନ୍ସା ନାମ ପରିବର୍ତ୍ତନ ମନ୍ତବ୍ୟକୁ ବିରୋଧ କରି ପୁରାତନ ଛାତ୍ରଙ୍କ ପକ୍ଷରୁ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଏଥିରେ ବ୍ୟୋମକେଶ ରାୟ, ଲେନିନ ମହାନ୍ତି, ବବି ଖାନ୍ ପ୍ରମୁଖ ଏବିଭିପିର ସଦସ୍ୟ ତଥା ଛାତ୍ର ଶ୍ୟାମ ସୁନ୍ଦର ସାହୁଙ୍କୁ ମାଡ଼ ମାରିବା ସହ ଗାଲିଗୁଳଜ କରିଥିବା ଅଭିଯୋଗ ହୋଇଛି । ବିଶ୍ୱବିଦ୍ୟାଳୟ ପରିସରରେ ଅଣଛାତ୍ରଙ୍କ ପ୍ରବେଶକୁ ବିରୋଧ କରି ଏବିଭିପି ପକ୍ଷରୁ ରେଭେନ୍ସା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦିଆଯାଇଥିବା ବେଳେ ଏହି ଘଟଣା ଘଟିଥିଲା ବୋଲି କୁହାଯାଇଛି । ଅନ୍ୟପଟେ ଛାତ୍ର ସିଦ୍ଧାର୍ଥ ଷଡ଼ଙ୍ଗୀଙ୍କ ପକ୍ଷରୁ ଦାୟର ପାଲଟା ଅଭିଯୋଗକୁ ନେଇ ମଧ୍ୟ ପୁଲିସ ଆଉ ଏକ ମାମଲା ରୁଜୁ କରିଛି ।
ସେପେଟେ ଏହି ମାମଲାକୁ ନିନ୍ଦା କରିଛି ବିଜେଡି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି ବିଜେପି ଉପରେ ବର୍ଷିବା ସହ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଥିବା କହିଛନ୍ତି ।
ପୋଲିସ ନଜରରେ ରେଭେନ୍ସା କ୍ୟାମ୍ପସ। ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ରଖିବା ପରଠୁ ବିବାଦ ଦେଖାଦେଇଛି। ଏହାପରେ ରେଭେନ୍ସା କ୍ୟାମ୍ପସରେ ସୁରକ୍ଷା ଦରକାର ବୋଲି କଟକ ଡିସିପିଙ୍କୁ ଅବଗତ କରିଥିଲେ ରେଭେନ୍ସା କର୍ତ୍ତୃପକ୍ଷ। କ୍ୟାମ୍ପସରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ମଧ୍ୟ ହୋଇଥିଲେ। ଏନେଇ ମାଲଗୋଦାମ ଥାନା ପକ୍ଷରୁ ପିସିଆର ଟିମ୍ କ୍ୟାମ୍ପସ ଉପରେ ନଜର ରଖିଛି।