କନକ ବ୍ୟୁରୋ : ଧାଡି ଧାଡି ହୋଇ ରାଜରାସ୍ତାରେ ମାଡି ଚାଲିଛି ସୁନ୍ଦର ସୁନ୍ଦର ଶଗଡ ଗାଡି । ଭଳି କି ଭଳି ରଙ୍ଗର କପଡା ସହ ବଳଦଙ୍କ ବେକରେ ଘାଗୁଡ଼ିକୁ ସିଂଘରେ ମୟୁର ଚୁଳ ଲଗାଇ ଅତିସୁନ୍ଦର ଭାବେ ସଜାଯାଇଛି । ରାସ୍ତାରେ ଲମ୍ବା ଧାଡିରେ ୨୫ ଟି ଶଗଡିରେ ପୁରୀ ସଦର ଅଞ୍ଚଳରୁ ବାହାରି ଆସିଛନ୍ତି ୧୦୦ ରୁ ଅଧିକ ଚାଷୀ । ଶଗଡ଼ିଆଙ୍କ ପୁରୁଣା ଶଗଡ଼ିଆ ଗୀତରେ ସୃଷ୍ଟି ହାଇଛି ଭିନ୍ନ ଏକ ପରିବେଶ । ସାକ୍ଷୀଗୋପାଳ ଠାରେ ଦେଖିବାକୁ ମିଳିଛି ଏହି ସୁନ୍ଦର ଦୃଶ୍ୟ । ପୁରୀ ସଦର ଅଞ୍ଚଳ ପୀଳିପିଳାରୁ ନେଇ ନରହରି ପୁର, ତାଳ ପୋଖରୀ, ଆଦି ଗାଁର ପ୍ରାୟ ଚାଷୀ ସାକ୍ଷୀଗୋପାଳର ଠାକୁର ହରିଆ ବୁଢାଙ୍କ ଦର୍ଶନ ପାଇଁ ଆସିଥିଲେ । ରାଜରାସ୍ତାରେ ଯାଉଥିବା ଲୋକେ ଏହି ମନଲୋଭା ଚିତ୍ର ଦେଖି ଘଡିଏ ଅଟକି ରହଥିଲେ ।
ଆଉ କିଛି ଦିନ ପରେ ପାଚିଲା ଧାନ ଅମଳ କରିବ ଚାଷୀ । ଅଉ ପୁଣି ଲାଗିଯିବେ ଚାଷ କାମରେ । ଏହା ପୂର୍ବରୁ ଚାଷୀ ଭାଇ ମାନେ ନିଜର ଗୋରୁ ଗାଈଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରଭୁ ହରିଆ ବୁଢାଙ୍କ ପାଖରେ ଭୋଗରାଗ ସହିତ ଆରୋଗ୍ୟ କାମନା କରିଛନ୍ତି । ରଙ୍ଗ ବେରଙ୍ଗ ଫୁଲ ସହ ସୁନ୍ଦର ଭାବେ ସଜାଯାଇଥିବା ଶଗଡ଼ ଗାଡି ସହ ହଜିଯାଉଥିବା ଶଗଡିଆଙ୍କ ଗୀତ କିଛି ସମୟ ପାଇଁ ହେଉ ପଛେ ଏକ ଭିନ୍ନ ପରିବେଶ ସୃଷ୍ଟି କରିପାରିଥିଲା ।