କନକ ବ୍ୟୁରୋ: ମହିଳା ଭଳି ପୁରୁଷ ଏକକରେ ମଧ୍ୟ ଚଳିତବର୍ଷ ଅଷ୍ଟ୍ରେଲିଆନ୍‌ ଓପନ୍‌କୁ ନୂଆ ବିଜେତା ମିଳିଛି । ରବିବାର ଟପ୍‌ ସିଡ୍‌ ତଥା ସ୍ପେନୀୟ ତାରକା କାର୍ଲୋସ୍‌ ଆଲ୍‌କାରାଜ୍‌ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ରେ ରେକର୍ଡ ୨୫ତମ ଗ୍ରାଣ୍ଡସ୍ଲାମ୍‌ ଟ୍ରଫି ବିଜୟକୁ ପିଛା କରୁଥିବା ସର୍ବିୟାର ନୋଭାକ ଜୋକୋଭିକଙ୍କୁ  ୨-୬, ୬-୨, ୬-୩, ୭-୫ରେ ହରାଇ ପ୍ରଥମ ଥର ଲାଗି ଏହି ସମ୍ମାନଜନକ ଟେନିସ୍‌ ପ୍ରତିଯୋଗିତାରେ ବିଜେତା‌ ହେବାର ଗୌରବ ଅର୍ଜନ କରିଛନ୍ତି । ସେ ମଧ୍ୟ ସମସ୍ତ ଚାରିଟି ଯାକ ଗ୍ରାଣ୍ଡସ୍ଲାମ୍‌ ଯଥା ଅଷ୍ଟ୍ରେଲିଆନ୍‌ ଓପନ୍‌, ଫ୍ରେଞ୍ଚ୍‌ ଓପନ୍‌, ୱିମ୍ବିଲଡନ୍‌ ଓପନ୍‌ ଓ ୟୁଏସ୍‌ ଓପନ୍‌ ଜିତି କ୍ୟାରିୟର୍‌ ସ୍ଲାମ୍‌ ହାସଲ କରିବାରେ ବିଶ୍ବର ସର୍ନକନିଷ୍ଠ ଖେଳାଳି ହୋଇଛନ୍ତି । ଏହି କ୍ଷେତ୍ରରେ ୨୨ବର୍ଷୀୟ ଆଲ୍‌କାରାଜ ପାଖାପାଖି ୮୮ବର୍ଷ ଧରି  ଆମେରିକାର ଡନ୍‌ ବଜ୍‌ଙ୍କ ନାଁରେ ଥିବା ଏହି ରେକର୍ଡ ଭାଙ୍ଗି ଚୂରମାର୍‌ କରି ଦେଇଛନ୍ତି । ଡଜ୍‌ ୧୯୩୮ ମସିହାରେ ନିଜ ୨୩ତମ ଜନ୍ମଦିବସର ମାତ୍ର ଦୁଇ ଦିନ ପୂର୍ବରୁ ଫ୍ରେଞ୍ଚ୍‌ ଓପନ୍‌ ଜିତି କ୍ୟାରିୟର୍‌ ସ୍ଲାମ୍‌ ହାସଲ କରିଥିଲେ । ଏହା ପୂର୍ବରୁ ସେ ଅନ୍ୟ ତିନିଟି ଗ୍ରାଣ୍ଡସ୍ଲାମ୍‌ ଜିତି ସାରିଥିଲେ ।

Advertisment

ଏହା ବି ପଢ଼ନ୍ତୁ:‘ଖେଲୋ ଇଣ୍ଡିଆ ମିସନ’ର ଶୁଭାରାମ୍ଭ

 ଅନ୍ୟପକ୍ଷରେ ପ୍ରଥମ ସେଟ୍‌ ଜିତିବା ସତ୍ତ୍ବେ ପରବର୍ତ୍ତୀ ତିନି ସେଟ୍‌କୁ ଲଗାତାର ହାରି ଜୋକୋଭିକ ନିଜ ପସନ୍ଦର ଗ୍ରାଣ୍ଡସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଏକାଦଶ ଥର ବିଜେତା ହେବାରୁ ବଞ୍ଚିତ ହୋଇଛନ୍ତି । ଜୋକୋଭିକଙ୍କ ପରାଜୟ ସହ ଆଧୁନିକ ଟେନିସ୍‌ର ଦୁଇ ମହାନ ଖେଳାଳି ରୋଜର ଫେଡେରର୍‌, ରାଫେଲ ନାଦାଲଙ୍କ ସହ ଜୋକୋଭିକଙ୍କ ଯୁଗ ମଧ୍ୟ ଶେଷ ହେବାର ଦ୍ବାର ଦେଶରେ ପହଞ୍ଚି ସାରିଥିବାର ଆଲୋଚନା ଆରମ୍ଭ ହୋଇଯାଇଛି । ଫେଡେରର୍‌ ଓ ନାଦାଲ ପୂର୍ବରୁ ପେସାଦାର ଟେନିସ୍‌ର ଅବସର ନେଇ ସାରିଛନ୍ତି । ଜୋକୋଭିକ୍‌ ମଧ୍ୟ ଖୁବ୍‌ଶୀଘ୍ର ସନ୍ନ୍ୟାସ ନେଇଯିବେ ବୋଲି ଆକଳନ କରାଯାଉଛି । ୨୦୨୩ ମସିହାରେ ୟୁଏସ୍‌ ଓପନ୍‌ ଜିତି ଅଷ୍ଟ୍ରେଲିଆର କିଂବଦନ୍ତି ମହିଳା ଟେନିସ୍‌ ତାରକା ମାର୍ଗାରେଟ୍‌ କୋର୍ଟଙ୍କ ୨୪ ଗ୍ରାଣ୍ଡସ୍ଲାମ୍‌ ବିଜୟର ସମକକ୍ଷ ହୋଇଥିଲେ ଜୋ‌କୋଭିକ୍‌ ।  ସେବେଠାରୁ  ତିନିଟି ଫାଇନାଲ୍‌ରେ ଆଲ୍‌କାରାଜ୍‌ଙ୍କ ସହ ମୁହାଁମୁହିଁ ହୋଇ ପ୍ରତିଥର ସେ ପରାଜିତ ହୋଇଛନ୍ତି । ଫଳରେ ୩ବର୍ଷ ହେବ ୨୫ତମ ଗ୍ରାଣ୍ଡସ୍ଲାମ୍‌ ବିଜୟରୁ ବଞ୍ଚିତ ହୋଇସାରିଛନ୍ତି ସେ ।