Heart Attack Photograph: (KanakNews)
କନକ ବ୍ୟୁରୋ : ବିଗତ କିଛି ସମୟ ଧରି ହୃଦଘାତ ଜନିତ ରୋଗ ଏବଂ ଅଚାନକ ମୃତ୍ୟୁକୁ ନେଇ ଅନେକ ମାମଲା ସାମ୍ନାକୁ ଆସିଛି । କେହି ନାଚୁଥିବା ବେଳେ ହଠାତ୍ ତଳେ ପଡ଼ି ମରିଯାଉଛନ୍ତି ତ ଆଉ କିଏ ବିବାହ କରିବାକୁ ଯାଇଥିବା ବେଳେ ହୃଦଘାତର ଶିକାର ହୋଇ ଆଖି ବୁଜୁଛନ୍ତି । ତେବେ ଏମିତି ଆଉ ଏକ ମାମଲା ଚେନ୍ନାଇରୁ ଆସିଛି । ଏଠାକାର ଜଣେ ଡାକ୍ତର ସେହି ସମୟରେ ହୃଦରୋଗର ଶିକାର ହୋଇଥିଲେ ଯେତେବେଳେ ସେ ହସ୍ପିଟାଲରେ ରୋଗୀମାନଙ୍କର ଚିକିତ୍ସା କରୁଥିଲେ । ଚିକିତ୍ସା କରୁ କରୁ ହଠାତ ତଳେ ପଡ଼ିଯାଇଥିଲେ ଡାକ୍ତର । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ୱାର୍ଡକୁ ନିଆଯାଇଥିଲା କିନ୍ତୁ ସେତେବେଳକୁ ତାଙ୍କ ଜୀବନ ଚାଲିଯାଇଥିଲା । ମାତ୍ର ୩୯ ବର୍ଷ ବୟସରେ ଜଣେ ଡାକ୍ତରଙ୍କ ଏଭଳି ଅଚାନକ ମୃତ୍ୟୁ ଏବେ ସମସ୍ତଙ୍କୁ ବିଚଳିତ କରିଛି ।
ସୂଚନା ଅନୁସାରେ ଡାକ୍ତର ହସ୍ପିଟାଲରେ ରାଉଣ୍ଡରେ ବାହାରିଥିଲେ ସେହି ସମୟରେ ସେ ହୃଦଘାତର ଶିକାର ହୋଇଥିଲେ ଏବଂ ତାଙ୍କର ମୃତ୍ୟୁ ଘଟିଥିଲା । ୩୯ ବର୍ଷର ହୃଦରୋଗ ସର୍ଜନ ଗ୍ରାଡଲିନ ରୟ ୱାର୍ଡ ରାଉଣ୍ଡ ସମୟରେ ହଠାତ ଚେତାଶୂନ୍ୟ ହୋଇଗଲେ । ତାଙ୍କ ସହକର୍ମୀ ଡାକ୍ତରଙ୍କୁ ସିପିଆର୍ , ଷ୍ଟେଣ୍ଟିଙ୍ଗ ସହିତ ତତ୍କାଳ ଏଞ୍ଜିଓପ୍ଲାଷ୍ଟି, ଇଣ୍ଟ୍ରା-ଏଓର୍ଟିକ ବେଲୁନ ପମ୍ପ, ଏପରିକି ଇସିଏମଓ ମଧ୍ୟ ଦେଇଥିଲେ କିନ୍ତୁ ଆଟାକ୍ ଏତେ ଗମ୍ଭୀର ଥିଲା ଯେ ଶତଚେଷ୍ଟା କରି ମଧ୍ୟ ଡାକ୍ତରଙ୍କୁ ବଞ୍ଚାଯାଇ ପାରିଲାନାହିଁ । ଗ୍ରାଡଲିନ ରୟଙ୍କ ଜଣେ ସହକର୍ମୀ ଏହି ଦୁଃଖଦ ଖବରକୁ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରି ସୂଚନା ଦେଇଥିଲେ । ସେ କହିଥିଲେ ଯେ କେବଳ ଗ୍ରାଡଲିନ ନୁହଁନ୍ତି ନିକଟରେ ଭାରତରେ ଅନେକ ଯୁବ ଡାକ୍ତର ପ୍ରାୟତଃ ୩୦ ଏବଂ ୪୦ ବର୍ଷ ବୟସ ମଧ୍ୟରେ ହିଁ ହଠାତ୍ ହୃଦଘାତର ଶିକାର ହୋଇଛନ୍ତି । ଦୁଃଖର କଥା ହେଉଛି ଯେଉଁ ଡାକ୍ତର ଅନ୍ୟର ହୃଦୟ ବଞ୍ଚାଇବା ପାଇଁ ନିଜ ଜୀବନ ସମର୍ପଣ କରିଦିଅନ୍ତି, ସେମାନେ ପ୍ରାୟତଃ ନିଜ ହୃଦୟର ଯତ୍ନ ନେବାକୁ ଭୁଲିଯାଆନ୍ତି ।
ଅଧିକ ସମୟ ଧରି କାମ କରିବା , ନିଦ୍ରା ଅଭାବ , ନିତିଦିନିଆ ଜୀବନର ସନ୍ତୁଳନ ବିଗିଡ଼ିଯିବା , ପ୍ରେସରରେ କାମ କରିବା , ରୋଗୀ ପରିବାରର ନିରନ୍ତର ଚାପ, ଅପରେସନ ଥିଏଟରରେ ଅଧିକ ସମୟ ପର୍ଯ୍ୟନ୍ତ ଛିଡ଼ା ହୋଇ ରହିବା କିମ୍ବା ଓପିଡିରେ ଅଧିକ ସମୟ ପର୍ଯ୍ୟନ୍ତ ବସି ରହିବା, ଖାଦ୍ୟପେୟର ଅନିୟମିତତା, ହସ୍ପିଟାଲର କ୍ୟାଣ୍ଟିନର ଖାଦ୍ୟ ଏବଂ ବାରମ୍ବାର କଫିର ସେବନ ମଧ୍ୟ ବିପଦଜ୍ଜନକ ହୋଇପାରେ । ଡାକ୍ତରମାନେ ନିଜ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ଲିପିଡ୍, ମଧୁମେହ, ଇସିଜି ସମେତ ଅନେକ ହେଲ୍ଥ ଚେକଅପ୍ ନିରନ୍ତର ଭାବେ କରିବା ଉଚିତ । ନିଦ୍ରାକୁ ପ୍ରାଥମିକତା ଦିଅନ୍ତୁ, ଅତି କମରେ ୭ ଘଣ୍ଟା ଶୁଅନ୍ତୁ, ଅତି କମରେ ୩୦ ମିନିଟ୍ ତୀବ୍ର ଗତିରେ ଚାଲନ୍ତୁ ଏବଂ ସାଇକେଲ ଚଲାଇବା ଅଭ୍ୟାସକୁ ବାଧ୍ୟତାମୂଳକ କରନ୍ତୁ । ତମାଖୁ ଏବଂ ମଦକୁ “ନା” କୁହନ୍ତୁ । ଛାତିରେ ଯନ୍ତ୍ରଣା, କୌଣସି ସ୍ପଷ୍ଟ କାରଣ ବିନା ଥକ୍କାପଣ କିମ୍ବା ନିଶ୍ୱାସ ନେବାରେ ଅସୁବିଧାକୁ ଅଣଦେଖା କରନ୍ତୁ ନାହିଁ ।
Follow Us