କନକ ବ୍ୟୁରୋ: ଅଳେଇଚ ଏକ ମସଲା ଜାତୀୟ ଫଳ । ପ୍ରତେକ ପରିବାରରେ ଭୋଜି ଭାତ ହେଉ କି ପୁଜା ପାର୍ବଣରେ ଏହା ଲୋଢ଼ା ପଡ଼ିଥାଏ । ଏହା କେବଳ ଖାଦ୍ୟ ପଦାର୍ଥ ରୁପେ ବ୍ୟବହାର କରାଯାଏ ତା ନୁହଁ ଏଥିରେ ଅନେକ ଔଷଧିୟ ଗୁଣ ମଧ୍ୟ ରହିଛି । ହେଲେ ଏହି ଦାମିକିଆ ଅଳେଇଚ ଫସଲ ଚାଷଟି କେବଳ ବାହାର ରାଜ୍ୟରେ ହିଁ ଦେଖିବାକୁ ମିଳୁଥିଲା । ତେଣୁ ବଜରରେ ଚାହିଦା ବି ଅଧିକା । ଏବେ ଏହି ଚାଷ ଆମ ରାଜ୍ୟର କୋରାପୁଟ ଜିଲ୍ଳା ରେ ମଧ୍ୟ ସଫଳ ରୁପେ ହୋଇ ପାରୁଛି । ଆଉ ଏହାକୁ ସଫଳ କରି ଦେଖାଇଛନ୍ତି କୋରାପୁଟ ଜିଲ୍ଳା ସୁଜୟ ପ୍ରଧାନ ଏବଂ ଚାଷୀଙ୍କ ପାଇଁ ଏହା ଏକ ରୋଜଗାରର ଆଉ ଏକ ମାଧ୍ୟମ ସାଜି ପାରିଛି ।
କଫି ଓ ଗୋଲମରିଚ ପରେ ଏବେ ଅଳେଇଚ ଚାଷ କୋରାପୁଟ ପାଇଁ ଆଉ ଏକ ପରିଚୟ । ଅଧିକା ଲାଭ ସାଙ୍ଗକୁ ଚାହିଦା ବି ଅଧିକା । ନା ବଜାର କୁ ଯିବାକୁ ପଡୁଛି ନା ଗ୍ରାହକ ଖୋଜିବାକୁ ପଡୁଛି । ଅମଳ ହେବା ମାତ୍ରେ ବଗିଚାରେ ହିଁ ବିକ୍ରି ହୋଇଯାଉଛି । କର୍ଣ୍ଣାଟକ, ତେଲେଙ୍ଗାନା ଓ କେରଳ ପରେ ଆମ ରାଜ୍ୟର ପୁର୍ବତଟ ପର୍ବତମାଳା କୁହାଯାଉଥିବା କୋରାପୁଟ ଜିଲ୍ଳାରେ ମଧ୍ୟ ସଫଳ ହେଉଛି ଏହି ଚାଷ । ବର୍ଷକୁ ଗୋଟିଏ ଗଛରୁ ୧ କେଜିରୁ ଦେଢ଼ କେଜି ପର୍ୟ୍ୟନ୍ତ ଅମଳ ହୋଇଥାଏ । ବଜାର ଦର ୪୦୦୦ ହଜାରରୁ ୪୫୦୦ ଟଙ୍କା କେଜି ରହିଛି । ହେଲେ ଏଠାରେ କେଜି ପିଛା ମାତ୍ର ୨୮୦୦ ରୁ ୩ ହଜାର ଟଙ୍କାରେ ବିକ୍ରି ହେଉଛି । ଏହି ଫସଲରୁ ଅଧିକା ଲାଭ ମିଳିବା ସାଙ୍ଗକୁ ରୋଜାଗାର ମଧ୍ୟ ଭଲ ହେଉଛି । ଆଗକୁ ୧୦ ଏକର ଜମିରେ ଏହି ଚାଷ କରିବା ପାଇଁ ଏବେ ଠାରୁ ଚାରା ପ୍ରସ୍ତୁତ କରିଛନ୍ତି ଚାଷୀ ସୁଜୟ ପ୍ରଧାନ । ଗଛ ଲଗାଇବାର ୪ ବର୍ଷ ପରେ ଫୁଲ ଫଳ ଆସିଥାଏ । ତାଙ୍କ ଫାର୍ମରେ ୩୦୦ ରୁ ୪୦୦ ଗଛ ଲାଗିଛି । ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳିରେ ଚାଷ ହେଉଛି ।
ଅଳେଇଚ ଫଳ କଞ୍ଚାରେ ଦେଖିବାକୁ କଫି ମଞିଭଳି । ବର୍ଷକୁ ଗୋଟିଏ ଥର ଗଛରେ ଫଳ ଧରିଥାଏ । କଫି ବଗିଚା ଭିତରେ ହୋଇଥିବା ଏହି ଅଳେଇଚ ଚାଷ ପରିକ୍ଷାମୂଳକ ଭାବେ ୪ ଏକର ଜମିରେ ହୋଇଛି । ସାଧାରଣତଃ ଅଳେଇଚ ଫଳ ଗଛର ମୁଳରେ ହୋଇଥାଏ । ବିନା ରାସାୟନିକ ସାରରେ ହେଉଥିବାରୁ ଏହା ଦେଖିବାକୁ ଛୋଟ ଛୋଟ ହୋଇଛି । ପାକଳ ହୋଇଗଲା ପରେ ତାକୁ ଗୋଟି ଗୋଟି କରି ତୋଳା ଯାଇଥାଏ । ଏକା ସାଥିରେ ଏହା ପାକଳ ହୋଇ ନଥାଏ । ଏହାକୁ ଅମଳ କରିବା ଓ ତାକୁ ଶୁଖାଇ ସାଇତି ରଖିବା ପାଇଁ ରହିଛନ୍ତି ତାଲିମ ପ୍ରାପ୍ତ ମହିଳା ଶ୍ରମିକ । କିଏ ଫଳ ତୋଳିବାରେ ବ୍ୟସ୍ତ ଅଛନ୍ତି ତ ଆଉ କିଏ ତାକୁ ସଫା କରି ଶୁଖାଇବାରେ ବ୍ୟସ୍ତ । ପରେ ଏହାକୁ ପ୍ୟାକେଟ କରି ବଜାରକୁ ବିକ୍ରୀ ପାଇଁ ପଠାଯାଉଛି । ପ୍ରତିଦିନ ୧୫ ରୁ ୨୦ ଜଣ ଶ୍ରମିକ ତାଙ୍କ ଫାର୍ମରେ କାମ କରୁଛନ୍ତି । କୋରାପୁଟ ଜଳବାୟୁରେ ଏହି ଚାଷ ଏବେ ସଫଳ ହେଉଛି । ଅଳେଇଚ ଚାଷ କରି ଚାଷୀ ଲାଭବାନ ହେଉଛନ୍ତି । କଫି ବଗିଚା ଭିତରେ ପରୀକ୍ଷମୂଳକ ଭାବେ ହୋଇଥିବା ଏହି ଚାଷ ଏବେ ଭଲ ଲାଭ ଦେଉଛି ।