କନକ ବ୍ୟୁରୋ: ବାଂଲାଦେଶ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ ଟିମ ଇଣ୍ଡିଆ । ୨୦୧୮-୧୯ ଓ ୨୦୨୦-୨୧ରେ କଙ୍ଗାରୁ ଦଳକୁ ମାତ ଦେଇଥିଲା ଟିମ ଇଣ୍ଡିଆ । ତେଣୁ ଘରୋଇ ମାଟିରେ ବାଂଲାଦେଶକୁ ଧୂଲି ଚଟାଇବା ପରେ ଅଷ୍ଟ୍ରେଲିଆ ପାଇଁ ଟ୍ରେନିଂ ଆରମ୍ଭ କରିଛନ୍ତି ଖୋଦ କ୍ୟାପଟେନ ରୋହିତ ଶର୍ମା । କିନ୍ତୁ ଏବେ ରୋହିତ ଶର୍ମାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି ।
ନଭେମ୍ବର ୨୨ ତାରିଖରୁ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବ ଟିମ୍ ଇଣ୍ଡିଆ । ତେବେ ଏହା ପୂର୍ବରୁ ରୋହିତ ଶର୍ମା ଏହି ସିରିଜ ଖେଳିବା ନଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । କାରଣ ଏକ ରିପୋର୍ଟ ମୁତାବକ ବ୍ୟକ୍ତିଗତ କାରଣରୁ ସରିଜର ପ୍ରଥମ ମ୍ୟାଚ ଖେଳିବେନି ରୋହିତ ଶର୍ମା । କିନ୍ତୁ ଏହାକୁ ନେଇ ବିସିସିଆଇ କିମ୍ବା ରୋହିତ ଶର୍ମା କୌଣସି ସୂଚନା ଦେଇ ନାହନ୍ତି ।
ଟେଷ୍ଟ ଚାମ୍ପିୟନସିପ୍ ପୂର୍ବରୁ ଅଷ୍ଟ୍ରେଲିଆ ସିରିଜ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହା ପୂର୍ବରୁ ଦୁଇଥର ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପହଞ୍ଚିଥିଲେ ସୁଦ୍ଧା ଚାମ୍ପିୟନ୍ ହୋଇ ପାରିନି ଟିମ ଇଣ୍ଡିଆ । ପ୍ରଥମ ଥର ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜିତ ହୋଇଥିବା ବେଳେ ଦ୍ୱିତୀୟ ଥର ଅଷ୍ଟ୍ରେଲିଆ ବିପକ୍ଷରେ ପରାଜିତ ହୋଇଥିଲା ଭାରତ । ପୁଣି ଥରେ ଟ୍ରଫି ଆଣିବାକୁ ଆପ୍ରାଣ ଚେଷ୍ଟା କରିବ ରୋହିତ ବାହିନୀ ।
ଏବେ ବାଂଲାଦେଶ ବିପକ୍ଷରେ ଟିଟ୍ୱେଣ୍ଟି ସିରିଜ ଖେଳୁଛି ଟିମ୍ ଇଣ୍ଡିଆ । ଏହାପରେ ଅଷ୍ଟ୍ରେଲିଆ ଗସ୍ତ କରିବ । ନଭେମ୍ବର ୨୨ରେ ପର୍ଥରେ ଡେ' ନାଇଟ୍ ଟେଷ୍ଟ ମ୍ୟାଚ ଖେଳାଯିବ । ରିପୋର୍ଟ ମୁତାବକ ବ୍ୟକ୍ତିଗତ କାରଣରୁ ଏହି ଟେଷ୍ଟ ମ୍ୟାଚ ନଖେଳି ପାରନ୍ତି ରୋହିତ ଶର୍ମା । ତେବେ ଏହାପରେ ବି ସେ ସିରିଜରେ ସାମିଲ ହେବେ କି ତାହାକୁ ନେଇ ଚିତ୍ର ସ୍ପଷ୍ଟ ହୋଇପାରୁନି । ବିସିସିଆଇ ପାଖକୁ ମଧ୍ୟ ରୋହିତ ଶର୍ମାଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବରେ କୌଣସି ସୂଚନା ଦିଆଯାଇନାହିଁ । ରୋହିତ ଶର୍ମା ଏହି ସିରିଜରୁ ଓହରି ଗଲେ ଭାରତକୁ ଏକ ବଡ ଝଟକା ଲାଗିବ । ଏଥିରେ କୌଣସି ସନ୍ଦେହ ନାହିଁ । ସେପଟେ ଟେଷ୍ଟ ଚାମ୍ପିୟନସିପ କଥା କହିଲେ, ୨୦୨୩-୨୫ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି ଭାରତ । ୧୧ ଟେଷ୍ଟ ମ୍ୟାଚ ବିଜୟୀ ହୋଇ ୯୮ ପଏଣ୍ଟ ପାଇଛି ଭାରତ । ଭାରତ ପଛକୁ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଓ ଇଂଲଣ୍ଡ ରହିଛନ୍ତି ।