କନକ ବ୍ୟୁରୋ : ଖୋର୍ଦ୍ଧାର ରାମେଶ୍ୱରରୁ କଟକର ଟାଙ୍ଗୀ, ୬ ଲେନ୍ ବିଶିଷ୍ଟ ୧୧୧ କିଲୋମିଟର ରାସ୍ତା ହେବ ନିର୍ମାଣ । କ୍ୟାପିଟାଲ ରିଜନ୍ ରିଙ୍ଗ ରୋଡ୍ ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିବା ପରେ ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟିଛି । କଟକ-ଭୁବନେଶ୍ୱରର ଟ୍ରାଫିକ ସମସ୍ୟାକୁ ଦୂର କରିବ ରିଙ୍ଗ ରୋଡ୍ । କେବଳ ଏତିକି ନୁହେଁ, ଅର୍ଥନୈତିକ ବିକାଶରେ ବି ସହାୟକ ହେବ କ୍ୟାପିଟାଲ ରିଜନ୍ ରିଙ୍ଗ ରୋଡ୍ । କ୍ୟାପିଟାଲ ରିଜନ୍ ରିଙ୍ଗ ରୋଡ୍ ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିବା ପରେ କଟକ-ଭୁବନେଶ୍ବରରେ ଭିଡ଼ କମିବା ନେଇ ଆଶା ସଞ୍ଚାର ହୋଇଛି । କଲିକତାରୁ ଚେନ୍ନାଇକୁ ଯାଉଥିବା ଭାରିଯାନ ଗାଡ଼ି ଏଣିକି ଆଉ କଟକ ଓ ଭୁବନେଶ୍ୱର ସହର ଭିତରକୁ ନଆସି ବାଇପାସ ରାସ୍ତାରେ ନିଜ ଗନ୍ତବ୍ୟସ୍ଥଳକୁ ବାହାରିଯିବେ। ଏହି ବାଇପାସ୍ ଏନ୍ଏଚ୍-୫୫, ଏନ୍ଏଚ୍-୫୭ ଏବଂ ଏନ୍ଏଚ୍-୬୫୫ ସହିତ ଗୋଟିଏ ରାଜ୍ୟ ରାଜପଥ ଏସ୍ଏଚ୍-୬୫ ଦେଇ ଆସିବ। ମୋଟ ୬ ଲେନ୍ ବିଶିଷ୍ଟ ହେବ ଏହି ରିଙ୍ଗ୍ ରୋଡ୍ । ସରକାରଙ୍କ ଏହି ଯୋଜନାର ସଫଳତା ପରଖିବାକୁ ଆମେ ପହଞ୍ଚିଥିଲୁ ଗ୍ରାଉଣ୍ଡ ଜିରୋରେ ।
ଜାତୀୟ ରାଜପଥ ଦେଇ ଯାତ୍ରା କରୁଥିବା ରବୀନ୍ଦ୍ରଙ୍କ ଟ୍ରକରେ କିଛି ସମୟ କରିଥିଲୁ ଯାତ୍ରା । ଜାତୀୟ ରାଜପଥରେ ବଡ଼ ବଡ଼ ଭାରିଯାନ ଦ୍ରୁତ ଗତିରେ ଗଡ଼ୁଥିବା ଦେଖିବାକୁ ମିଳୁଥିଲା । ତେବେ ନୂଆ ବାଇପାସ୍ ହେଲେ ଭାରିଯାନର ଚାଳକମାନେ ସହଜରେ ଯାତ୍ରା କରିପାରିବେ ବୋଲି ରବୀନ୍ଦ୍ର କହିଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ସାଧାରଣ ଲୋକ । ମୋଟ ୬ ଲେନ୍ ବିଶିଷ୍ଟ ହେବ ଏହି ରିଙ୍ଗ୍ ରୋଡ୍ । କୋଲକାତାରୁ ଜାତୀୟ ରାଜପଥ-୧୬ ଦେଇ ଆସୁଥିବା ଯାତ୍ରୀ ଟାଙ୍ଗୀ ଟୋଲ ଗେଟ୍ରୁ ଡାହାଣକୁ ଯାଇ ସିଧା ଚୌଦ୍ୱାର, ଢେଙ୍କାନାଳର କିଛି ଭାଗ ଦେଇ ଆଠଗଡ଼, ବାଙ୍କୀ, ବେଗୁନିଆ ଦେଇ ସିଧା ରାମେଶ୍ବରରେ ପହଞ୍ଚିବେ। ଏହି ବାଇପାସ୍ ସିଧା କୋଲକାତାରୁ ଚେନ୍ନାଇକୁ ସଂଯୋଗ କରିବ। ୧୧୦ କିଲୋମିଟର ବାଇପାସ୍ ପାଇଁ ଖର୍ଚ୍ଚ ହେବ ୮ହଜାର ୩୦୭ କୋଟି ଟଙ୍କା ।
ଅଢ଼େଇ ବର୍ଷ ମଧ୍ୟରେ କାମ ଶେଷ କରିବାକୁ ଯୋଜନା ହୋଇଛି । ଏହି ନୂଆ ବାଇପାସ୍ ବିକାଶର ମାଇଲଖୁଣ୍ଟ ହେବ ବୋଲି କହିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କ୍ୟାପିଟାଲ ରିଜନ ରିଙ୍ଗରୋଡ ମଞ୍ଜୁର କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଏବଂ ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ର ଏକ ଚେହେରା ହେବ ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/08/20/twin-city-2025-08-20-20-50-38.jpg)