କନକ ବ୍ୟୁରୋ : ଜୀବନକୁ ଖେଳନା ଭାବୁଛି ମଣିଷ I ସାମାନ୍ୟ କଥାରେ ଭାଙ୍ଗି ପଡ଼ୁଛି I ଛୋଟ କଥାରେ ସବୁ କିଛି ଶେଷ କରି ଦେଉଛି I ଏଇ ଯେମିତି - ପ୍ରେମରେ ବିରହ, ପରୀକ୍ଷାରେ ବିଫଳ, ଚାକିରି ପଳାଇବା, ପାରିବାରିକ କଳହ I ମାନସିକ ଚାପ ସହି ନପାରି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛି ମଣିଷ I କେବଳ ଗତ ୬ ମାସ ଭିତରେ ଭୁବନେଶ୍ୱରରେ ୧୭୮ ଜଣଙ୍କ ଜୀବନ ଯାଇଛି I ତା’  ଭିତରୁ ୯୫ ଜଣ ପୁରୁଷ ଓ ବାକି ହେଉଛନ୍ତି ମହିଳା । ଯଦି ଭୁବନେଶ୍ୱରର ସଂଖ୍ୟା ଏହିଭଳି ତା’ହେଲେ ସାରା ଓଡ଼ିଶାର ଚିତ୍ର କ’ଣ ହୋଇଥିବ?  ଦୁର୍ଭାଗ୍ୟର ବିଷୟ ହେଉଛି ଆତ୍ମହତ୍ୟା ପରେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରୁଛି I ହେଲେ ଆତ୍ମହତ୍ୟାର କାରଣ ଜଣାପଡୁନି I କାହିଁକି ପୁଲିସ ଫେଲ୍‌ ମାରୁଛି, ଶୁଣନ୍ତୁ ଏନେଇ କ’ଣ କହୁଛନ୍ତି ମାନସିକ ରୋଗ ବିଶେଷଜ୍ଞ I

Advertisment

ଛାତ୍ରଛାତ୍ରୀଙ୍କ ଠାରୁ ନେଇ ବ୍ୟବସାୟୀ। ଇଞ୍ଜିନିୟରଙ୍କ ଠାରୁ ନେଇ ଡାକ୍ତରଙ୍କ ପର୍ଯ୍ୟନ୍ତ। କିଏ ପ୍ରେମ ପାଇଁ ତ ପୁଣି କିଏ ଚାକିରି ଚାପ ପୁଣି ଆଉ କାହା ପାଇଁ କାଳ ହେଉଛି ପାରିବାରିକ କଳହ । ଯୁବପିଢ଼ିଙ୍କ ଆତ୍ମହତ୍ୟା ପ୍ରବଣତା ସାରା ଦେଶରେ ବଢ଼ିଥିବା ବେଳେ ଛାତ୍ରଛାତ୍ରୀ ଆତ୍ମହତ୍ୟାରେ ଓଡ଼ିଶା ହେଉଛି ସାରା ଦେଶରେ ଦ୍ୱିତୀୟ । ବର୍ଷକୁ ବର୍ଷ ଏହି ହାର ୪ ପ୍ରତିଶତ ବଢ଼ୁଥିବା NCRB ରିପୋର୍ଟରୁ ଜଣାପଡ଼ିଛି । ଫିଲ୍ମ, ୱେବ୍‌ସିରିଜ ଦେଖି ଲାଇଭ ସୁଇସାଇଡ୍‌ ଟ୍ରେଣ୍ଡକୁ ଅନେକ ଆପଣାଉଛନ୍ତି । ଏପରିକି ଏହା ଏବେ ମାନସିକ ବ୍ୟାଧିରେ ପରିଣତ ହୋଇଛି । ଯେଉଁ ସମସ୍ୟାର ସମଧାନ ନାହିଁ, ତାହା କେବେ ବି ଗୋଟିଏ ସମସ୍ୟା ବୋଲି ଧରାଯିବନି I ସବୁ ସମସ୍ୟାର ସମାଧାନ ଆତ୍ମହତ୍ୟା ନୁହେଁ I ନିଜେ ନିଜ ପାଇଁ ବଞ୍ଚିବା ଶିଖିବା ଅତି ସହଜ I ଥରେ ଅନ୍ୟ ପାଇଁ ବଞ୍ଚିବା ଶିଖିଗଲେ, ହୁଏତ ଆତ୍ମହତ୍ୟା ଭଳି ଭୁଲ ରାସ୍ତାକୁ ଗୋଟିଏ ଚୁଟ୍‌କିରେ ଭୁଲିଯିବ ମଣିଷ I