କନକ ବ୍ୟୁରୋ : କଥାରେ ଅଛି ବିପଦ ଯେତେବେଳେ ଆସେ ସାଙ୍ଗସାଥୀଙ୍କୁ ଧରି ଆସେ । କେହି କିଛି ବୁଝିବା ଆଗରୁ ସବୁକିଛି ଓଲଟା ପାଲଟ କରିଦିଏ । ସବୁ ସ୍ୱପ୍ନ ଅଧାରେ ରହିଯାଏ । ଯାଜପୁର ଜିଲ୍ଲା କୋରେଇ ବ୍ଲକରୁ ଆସିଛି ଏପରି ଅଭାବନୀୟ ଖବର । ପରିବାରର ହସଖୁସି ଛଡ଼ାଇ ନେଇଛି କର୍କଟ ରୋଗ । କର୍କଟ ରୋଗରେ ଘରର ମୁରବୀଙ୍କର ମୃତ୍ୟୁ ପରେ ଛାର ଖାର ହୋଇଯାଇଛି ପରିବାର । ଅଭାବ ଅନଟନରେ ଛଅ ଝିଅ କେମିତି ପାଠ ପଢ଼ିବେ ତାକୁ ନେଇ ଚିନ୍ତାରେ ଅସହାୟ ମାଆ ।

Advertisment

ପେଟକୁ ମୁଠାଏ ଦାନା ମିଳୁନି । ଆଶା ଭରସା ବୋଲି କେହି ନାହିଁ । ଘର ରୋଜଗାରିଆ ମଣିଷ ଚାଲିଗଲା ପରେ ଏବେ ବେସାହାରା ହୋଇପଡିଛନ୍ତି ଛ ଛଅଟା ଝିଅ । ଯାଜପୁର ଜିଲ୍ଲା କୋରେଇ ବ୍ଲକ ରଣପୁରର ଏହି ଅଭାବି ପରିବାର ।  ପରିବାର କହିଲେ ମାଆ ଓ ଛଅଟି ଝିଅ । ଚାଷବାସରୁ ଯାହା ମିଳୁଥିଲା ପରିବାର ଚଳୁଥିଲା । ହେଲେ ଏବେ ରହିବାକୁ ଭଲ ଘର ଖଣ୍ଡେ ନାହିଁ କି ଖାଇବାକୁ ମୁଠାଏ ଦାନା ନାହିଁ । ସ୍ବାମୀଙ୍କ ଚିକିତ୍ସାରେ ସବୁକିଛି ଖର୍ଚ୍ଚ ହୋଇସାରିଥିବା କୁହନ୍ତି ବନ୍ଦନା ସାହା । ଏବେ ୬ଟି ଝିଅଙ୍କୁ କିଭଳି ଖାଇବାକୁ ଦେବେ ଓ ପରିବାର କିଭଳି ଚଳିବ ସେ ନେଇ ମୁଣ୍ଡରେ ପଡିଛି ଚଡ଼କ । 

ସ୍ବାମୀର ମୃତ୍ୟୁ ପରେ ପୁରା ପରିବାର ବୋଝ ମହିଳାଙ୍କ ଉପରେ । ଛଅଟି ଝିଅଙ୍କ ଭବିଷ୍ୟତକୁ ଆଖିରେ ରଖି ସରକାରଙ୍କୁ ସହାୟତା ପାଇଁ ନିବେନଦ କରିଛନ୍ତି ମାଆ ବନ୍ଦନା । ସେପଟେ ସ୍ଥିତି ଅନୁଧ୍ୟାନ କରାଯାଇ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ମିଳିଛି ପ୍ରତିଶ୍ରୁତି । ଯାହାର ଅପେକ୍ଷାରେ ରହିଛନ୍ତି ବନ୍ଦନାଙ୍କ ପରିବାର । ସରକାରଙ୍କ ଅନେକ ଯୋଜନାରୁ ବନ୍ଦନାଙ୍କ ପରିବାର ସମ୍ପୂର୍ଣ୍ଣ ବଞ୍ଚିତ ରହିଛନ୍ତି। । ତେଣୁ ଏହି ପରିବାର ପ୍ରତି ଗୁରୁତ୍ବ  ଦିଆଯାଇ ଖୁବଶୀଘ୍ର ସାହାଯ୍ୟ ଯୋଗାଯାଇ ପାରିଲେ ପୁରା ପରିବାର ଉପକୃତ ହୋଇପାରିବେ ।