କନକ ବ୍ୟୁରୋ:  ଦୀର୍ଘ ୨୦ ବର୍ଷର ଦାବି ପରେ କେନାଲ ବନ୍ଧ ରାସ୍ତା ହୋଇଛି। ରାସ୍ତାରେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଦିନଟିଏ ବି ରାସ୍ତା କାମ ଦେଖିବାକୁ ଆସିନାହାନ୍ତି ବିଭାଗୀୟ ଯନ୍ତ୍ରୀ। ତେଣୁ ଠିକାଦାର ମନ ଇଚ୍ଛା କାମ କରିଥିବା ଅଭିଯୋଗ ହୋଇଛି। ବିନା ମେଣ୍ଟାଲରେ ଗୁଣ୍ଡ ମୋରମରେ ବାଲି ମିଶାଇ ଛିଞ୍ଚା ଯାଇଛି। ସେ ସବୁ ପକାଇବା ବେଳେ ରୋଲର ମଧ୍ୟ ବ୍ୟବହାର ହୋଇନାହିଁ! ବିନା ସୂଚନା ଫଳକରେ କେନାଲ ବନ୍ଧ ନିର୍ମାଣ ହୋଇଥିବାରୁ ଦୁର୍ନୀତିର ଗନ୍ଧ ବାରିଛନ୍ତି ପୁରୀ ଡେଲାଙ୍ଗ ବ୍ଲକ ଗୁଡୁପାଇଲ ଗ୍ରାମବାସୀ।

Advertisment
  • ଵିନା ସୂଚନା ଫଳକରେ କାମ!
  • ୧୫ ଲକ୍ଷ ରାସ୍ତା ମଝିରେ ଦୁବ ଘାସ!

ଗୁଡୁପାଇଲ ଗାଁରେ ୫୦ରୁ ଅଧିକ ପରିବାର ବସବାସ କରନ୍ତି। ବହୁ ବର୍ଷର ଅପେକ୍ଷା ପରେ ରାସ୍ତା ତିଆରି କରାଯାଇଛି। ଦେଖିକି ଲାଗୁଥିଲା ଆଉ ଗମନାଗମନରେ ଅସୁବିଧା ହେବନାହିଁ। କିନ୍ତୁ ରାସ୍ତା କାମ ଏମିତି ହୋଇଛି ଯେ ଲୋକ ଆଙ୍ଗୁଠିରେ ଖୋଳି ଦେଲେ ଦୁବ ଘାସ ଦେଖାଯାଉଛି। ଅସରାଏ ବର୍ଷା ହେଲେ ପୂରା ରାସ୍ତା ଧୋଇ ହୋଇଯିବାର ଆଶଙ୍କା ରହିଛି।

ତେବେ ୧୫ ଲକ୍ଷ ଟଙ୍କାର ରାସ୍ତାକୁ ଦେଖି ସ୍ଥାନୀୟ ଲୋକେ ଦୁଃଖ ପ୍ରକାଶ କରିବା ସହ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି । ସେପଟେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।