କନକ ବ୍ୟୁରୋ :  କୁମ୍ଭୀର ମୁଣ୍ଡ ନେଇ ଯାଉଥିବାବେଳେ ଗିରଫ ହେଲେ ବ୍ୟକ୍ତି । ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଏୟାରପୋର୍ଟରୁ ବ୍ୟକ୍ତିଙ୍କୁ ଧରିଲେ କଷ୍ଟମ ଅଧିକାରୀ । ସୂଚନାମୁତାବକ, ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ଜଣେ କାନାଡା ଯାତ୍ରୀ କୁମ୍ଭୀର ଛୁଆର ମୁଣ୍ଡକୁ ତାଙ୍କ ଲଗେଜ୍‌ ରେ ନେଇ ଯାଉଥିଲେ ।  ଏହି ସମୟରେ କଷ୍ଟମ ଅଧିକାରୀଙ୍କ ଯାଞ୍ଚ ସାମ୍ନା କରିବାକୁ ପଡିଥିଲା କାନାଡା ଯାତ୍ରୀଙ୍କୁ ।  

Advertisment

ଏହି ଯାତ୍ରୀ ଜଣଙ୍କ ଏୟାର କାନାଡା  ଫ୍ଳାଇଟ୍‌ ନମ୍ବର  AC051 ରେ ଯିବାକୁ ପ୍ରସ୍ତୁତି କରୁଥିଲେ ।  ଠିକ୍‌ ଏହି ସମୟରେ କଷ୍ଟମ ଅଧିକାରୀ ତାଙ୍କ ଜିନିଷପତ୍ର ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଯାତ୍ରୀଙ୍କ ଲଗେଜରୁ  ଏକ କ୍ରୀମ ରଙ୍ଗର କପଡାରେ ଗୁଡା ହୋଇଥିବା କୁମ୍ଭୀର ମୁଣ୍ଡ ମିଳିଥିଲା । ଏଥିସହିତ କୁମ୍ଭୀର ଦାନ୍ତ ମଧ୍ୟ  ଜବତ କରିଛି କଷ୍ଟମ ବିଭାଗ ।  ଏହାର  ଓଜନ ପାଖାପାଖି ୭୭୭ ଗ୍ରାମ ଥିଲା  ।  କାନାଡା ର ଏହି  ଯାତ୍ରୀଙ୍କ ବିରୋଧରେ ଧାରା  ୧୩୨, ୧୩୩, ୧୩୫,୧୩୫A  ଏବଂ ୧୩୬  ଅନୁସାରେ  ମାମଲା ରୁଜୁ କରାଯାଇଛି । ଜବତ ହୋଇଥିବା ମୁଣ୍ଡକୁ ଫରେଷ୍ଟ ଡିଭିଜନ, ପଶ୍ଚିମ ଦିଲ୍ଲୀକୁ ପରୀକ୍ଷା ପାଇଁ ପଠାଯାଇଛି ।