କନକ ବ୍ୟୁରୋ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା ଏବଂ ଚାଇନା ମୁଣବିନ୍ଧା ବଢାଇଛନ୍ତି । ସେ ଘୋଷଣା କରିଛନ୍ତି, ସେ କାନାଡା ଏବଂ ମେକ୍ସିକୋରୁ ଆସୁଥିବା ସମସ୍ତ ଉତ୍ପାଦ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବେ । ଆମେରିକାରେ ଅବୈଧ ପ୍ରବାସୀଙ୍କ କ୍ରମାଗତ ଭାବେ ବୃଦ୍ଧି ହେତୁ ଟ୍ରମ୍ପ କ୍ରୋଧରେ ଏହି ଘୋଷଣା କରିଛନ୍ତି । ବେଆଇନ ଭାବେ ଦେଶକୁ ଡ୍ରଗ୍ସ ଆସିବା ପାଇଁ ଟ୍ରମ୍ପ ଚାଇନାକୁ ଦାୟୀ କରିଛନ୍ତି ଏବଂ ଚାଇନା ଉପରେ ଅତିରିକ୍ତ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ କହିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ଶେୟାର କରାଯାଇଥିବା ପୋଷ୍ଟରେ ଟ୍ରମ୍ପ କହିଛନ୍ତି,ଜାନୁଆରୀ ୨୦ରେ ଶପଥ ଗ୍ରହଣ କରିବା ପରେ ସେ ପ୍ରଥମେ କାନାଡା, ଚାଇନା ଏବଂ ମେକ୍ସିକୋରୁ ଆସୁଥିବା ସାମଗ୍ରୀ ଉପରେ ଶୁଳ୍କ ଲାଗୁ କରିବେ ।

Advertisment

ମେକ୍ସିକୋ ଏବଂ କାନାଡାରୁ ହଜାର ହଜାର ଲୋକ ଆମେରିକାରେ ପ୍ରବେଶ କରୁଛନ୍ତି ଏବଂ ସେମାନେ ସେମାନଙ୍କ ସହ ଡ୍ରଗ୍ସ ଆଣୁଛନ୍ତି । ଯଦି କାନାଡା ଏବଂ ମେକ୍ସିକୋ ଚାହାଁନ୍ତି, ସେମାନେ ଏହି ବେଆଇନ ପ୍ରବାସୀମାନଙ୍କୁ ଅଟକାଇ ପାରିବେ ଏବଂ ସେମାନଙ୍କର ମଧ୍ୟ ଏହା କରିବାର ଶକ୍ତି ଅଛି । ତେଣୁ କାନାଡା ଏବଂ ମେକ୍ସିକୋରୁ ଆସୁଥିବା ଉତ୍ପାଦ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରାଯିବ ଏବଂ ଯଦି କାନାଡା ଏବଂ ମେକ୍ସିକୋ ସେମାନଙ୍କ ସୀମା ଦେଇ ଆମେରିକାକୁ ଆସୁଥିବା ବେଆଇନ ପ୍ରବାସୀମାନଙ୍କୁ ବନ୍ଦ ନ କରନ୍ତି, ତେବେ ସେମାନଙ୍କୁ ଭାରି ଶୁଳ୍କ ଦେବାକୁ ପଡିବ । ଟ୍ରମ୍ପ ଚାଇନାକୁ ଟାର୍ଗେଟ କରି କହିଛନ୍ତି, ଚାଇନାରୁ ଡ୍ରଗ୍ସ, ବିଶେଷକରି ଫେଣ୍ଟାନିଲ ଆମେରିକାରେ ଆସୁଛି । ଅତୀତରେ ସେ ଚାଇନା ସହିତ ଡ୍ରଗ୍ସ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ଏବଂ ଡ୍ରଗ ବେପାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଇନା ମଧ୍ୟ କହିଥିଲା, କିନ୍ତୁ ଏହା ସତ୍ତ୍ୱେ ଆମେରିକାରେ ଫେଣ୍ଟାନିଲ ଔଷଧର କାରବାର ଜାରି ରହିଛି । ଆମ ସରକାର ଚାଇନା ଉପରେ ଡ୍ରଗ୍ସ ରୋକିବାରେ ସକ୍ଷମ ନ ହେବା ପାଇଁ ଅତିରିକ୍ତ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିବେ ।