କନକ ବ୍ୟୁରୋ : ଗରିବୀ ହଟିଲେ, ଆସିବ ବିକାଶ । ଦାରିଦ୍ର୍ୟ କମିଲେ, ଆଗେଇବ ଉନ୍ନତି । ହେଲେ କେମିତି ? ଏଥିପାଇଁ ଅଛି କି କୌଣସି ସର୍ଟକଟ୍ ? ନିକଟରେ ଆନ୍ଧ୍ରପ୍ରଦେଶର ନାଇଡ଼ୁ ସରକାର ରାଜ୍ୟରୁ ଗରିବୀ ହଟାଇବାକୁ ‘ପି-ଫୋର୍’ ଫର୍ମୁଲା ଆପଣାଇଥିବା ବେଳେ ଓଡ଼ିଶା ସରକାର ବି ଏହାକୁ ଅନୁସରଣ କରିବା ଉଚିତ କି ବୋଲି ଉଠିଛି ପ୍ରଶ୍ନ । ଦେଖନ୍ତୁ କଣ ଏହି ପି-ଫୋର୍ ଫର୍ମୁଲା ଏବଂ ଏହା କ’ଣ ପ୍ରକୃତରେ ଉପାଦେୟ ?
୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ବେଳେ ଦାରିଦ୍ର୍ୟ ଦୂରୀକରଣ ଏ ଦିଗରେ ଏକ ବଡ଼ ଆହ୍ବାନ । ତେବେ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶକୁ ଗରିବମୁକ୍ତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଲାଗୁ କରିଛନ୍ତି ଅଭିନବ ‘ଜିରୋ ପୋଭର୍ଟି ପି-ଫୋର୍ ପ୍ରୋଗ୍ରାମ୍’ । ପବ୍ଲିକ୍, ପ୍ରାଇଭେଟ୍, ପିପୁଲ, ପାର୍ଟନରସିପ୍ । ଯାହାର ଆଧାର ରହିଛି- ଆର୍ଥିକ ଦୁର୍ବଳ ପରିବାରଙ୍କ ଉତ୍ଥାନ ପାଇଁ ସରକାର ସିଧାସଳଖ କୌଣସି ଟଙ୍କା ପଠାଇବେ ନାହିଁ । ବରଂ ଶେଷ ଧାଡ଼ିର ୨୦ ପ୍ରତିଶତ ଜନସଂଖ୍ୟାଙ୍କୁ ଗରିବୀରୁ ମୁକୁଳିବାକୁ ସାହାଯ୍ୟ କରିବେ ସବୁଠୁ ଧନୀ ବର୍ଗର ୧୦ ପ୍ରତିଶତ ଜନସଂଖ୍ୟା । ୨୦୨୯ ସୁଦ୍ଧା ୧୫ ଲକ୍ଷ ପରିବାରକୁ ଦାରିଦ୍ର୍ୟ ସୀମାରେଖା ଉପରକୁ ଆଣିବା ପାଇଁ ସହଯୋଗ କରିବେ।
ବର୍ଷକୁ ବର୍ଷ ବଜେଟ୍ ବଢ଼ୁଛି, ହେଲେ ଗରିବୀ କମୁନି
ଓଡ଼ିଶାର ଚିତ୍ର ବଦଳାଇପାରିବ କି ଏହି ଆନ୍ଧ୍ର ଫର୍ମୁଲା?
ପୂର୍ବ ସରକାରର ଟଙ୍କିକିଆ ଚାଉଳ ଓ କାଳିଆ ଯୋଜନା ଠାରୁ ଆରମ୍ଭ କରି ବର୍ତ୍ତମାନ ସରକାରର ସୁଭଦ୍ରା ଓ ଅନ୍ତ୍ୟୋଦୟ ଗୃହ ଯୋଜନା । ରାଜ୍ୟକୁ ଗରିବୀମୁକ୍ତ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ବି ସେହି ତୁଳନାରେ ଲୋକଙ୍କ ଆର୍ଥିକସ୍ଥିତିରେ ଆସିପାରିନି ଆଖିଦୃଶିଆ ଉନ୍ନତି । ତେବେ ଆନ୍ଧ୍ରପ୍ରଦେଶର ପି-ଫୋର୍ କାର୍ଯ୍ୟକ୍ରମ ଭଳି ଲୋକଙ୍କୁ ଟଙ୍କା ନଦେଇ କାମ ଯୋଗାଇଦେଲେ ସେମାନେ ଆର୍ଥିକ ସକ୍ଷମ ହୋଇପାରନ୍ତେ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ ପି-ଫୋର୍ ଭଳି କାର୍ଯ୍ୟକ୍ରମ ଲାଗୁ କଲେ ଏଥିରେ ସ୍ବଚ୍ଛତା ରହିବନି ବରଂ ଜଟିଳତା ବଢ଼ିବ ବୋଲି ଚେତାଇଛନ୍ତି ବିଶେଷଜ୍ଞ । ବିକଶିତ ଓଡ଼ିଶା ଲକ୍ଷ୍ୟ ପୂରଣ ପାଇଁ ଗରିବ ପରିବାରର ଆର୍ଥିକ ମେରୁଦଣ୍ଡ ମଜବୁତ କରିବା ନିତାନ୍ତ ଜରୁରୀ ।