କନକ ବ୍ୟୁରୋ:  ଏକ ମାମଲାର ଶୁଣାଣି ସମୟରେ, କଲିକତା ହାଇକୋର୍ଟ ପ୍ରଶ୍ନ ଉଠାଇଥିଲେ ଯେ ଜଣେ ବ୍ୟକ୍ତି ତିନି ଦିନରେ ୧୦ କିଲୋଗ୍ରାମ ଓଜନ ହ୍ରାସ କରିପାରିବେ କି? ପ୍ରକୃତରେ, ବିଟ୍ଟୁ ଗଙ୍ଗୋପାଧ୍ୟାୟ ନାମକ ଜଣେ ଯୁବକ କେନ୍ଦ୍ରୀୟ ବାହିନୀର ନିଯୁକ୍ତି ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ସେ ଦାବି କରିଛନ୍ତି ଯେ ସେ ଶାରୀରିକ ଦକ୍ଷତା ସମେତ ସମସ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କିନ୍ତୁ ତାଙ୍କ ଓଜନ ନିର୍ଦ୍ଧାରିତ ଠାରୁ ଅଧିକ ବୋଲି କହି ତାଙ୍କୁ ଚାକିରି ଦିଆଯାଇ ନଥିଲା । ବିଟ୍ଟୁ ଏଥିରେ ସହମତ ନ ହୋଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ  । ମଙ୍ଗଳବାର, ବିଟ୍ଟୁଙ୍କ ଓକିଲ ଲକ୍ଷ୍ମୀକାନ୍ତ ଭଟ୍ଟାଚାର୍ଯ୍ୟ ଯୁକ୍ତି ଦେଇଥିଲେ ଯେ ୧୫ ଜୁଲାଇ, ୨୦୨୪ ରେ, ସିଆରପିଏଫ ମେଡିକାଲ୍ ବୋର୍ଡ ଏକ ଶାରୀରିକ ପରୀକ୍ଷା କରିଥିଲା ଏବଂ ବିଟ୍ଟୁଙ୍କ ଓଜନ ୮୨ କିଲୋଗ୍ରାମ ବୋଲି ଜଣାପଡିଥିଲା । ତିନି ଦିନ ପରେ ୨୦ ଜୁଲାଇରେ, ବିଟ୍ଟୁ ଏକ ସରକାରୀ ହସ୍ପିଟାଲରେ ତାଙ୍କ ଓଜନ ମାପ କରିଥିଲେ । ସେଠାରେ ଓଜନ ୭୨ କିଲୋଗ୍ରାମ ବାହାରିଥିଲା ।

Advertisment

ଏନେଇ ପ୍ରଶ୍ନ ଉଠିଥିଲା ଯେ ଜଣେ ବ୍ୟକ୍ତି ୭୨ ଘଣ୍ଟାରେ କିପରି ୧୦ କିଲୋଗ୍ରାମ ଓଜନ ହ୍ରାସ କରିପାରିବେ? ଉଭୟ ହସ୍ପିଟାଲର ଏପରି ଭିନ୍ନ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ପୂର୍ବରୁ, ହାଇକୋର୍ଟର ଏକ ସିଙ୍ଗଲ ବେଞ୍ଚ କେନ୍ଦ୍ରୀୟ ବଳ ହସ୍ପିଟାଲର ରିପୋର୍ଟକୁ ଅନୁମୋଦନ କରିଥିଲେ । କିନ୍ତୁ ଯୁବକ ଜଣକ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ପାଇଁ ହାଇକୋର୍ଟ ଯାଇଥିଲେ ।  ତେବେ ଏନେଇ ଜଷ୍ଟିସ୍ ସୁଜୟ ପାଲ ଏବଂ ଜଷ୍ଟିସ୍ ସ୍ମିତା ଦାସଙ୍କ ଡିଭିଜନ୍ ବେଞ୍ଚ କହିଥିଲେ ଯେ ଦୁଇଟି ମେଡିକାଲ୍ ରିପୋର୍ଟ ମେଳ ନ ଖାଇବା ଯୋଗୁଁ କୌଣସି ପ୍ରାର୍ଥୀଙ୍କୁ ବଞ୍ଚିତ କରାଯାଇପାରିବ ନାହିଁ । କୋର୍ଟର କାମ ହେଉଛି ନ୍ୟାୟ ପ୍ରଦାନ କରିବା। କୌଣସି ବ୍ୟକ୍ତିଙ୍କ ଓଜନ ମାତ୍ର ତିନି ଦିନରେ ଏତେ ପରିବର୍ତ୍ତନ ହୁଏ ନାହିଁ। କୋର୍ଟ ଅନୁଭବ କରୁଛନ୍ତି ଯେ ଗୋଟିଏ ରିପୋର୍ଟରେ ଭୁଲ ଅଛି, ତେଣୁ ପୁଣି ଥରେ ଓଜନ ମାପ କରିବା ଆବଶ୍ୟକ । ଖଣ୍ଡପୀଠ କଲ୍ୟାଣୀ ଏମ୍ସକୁ ତିନି ସପ୍ତାହ ମଧ୍ୟରେ ଯୁବକଙ୍କ ଓଜନ ମାପ ସହିତ ଏକ ଡାକ୍ତରୀ ପରୀକ୍ଷା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯଦି ଯୋଗ୍ୟତା ପ୍ରମାଣିତ ହୁଏ, ତେବେ ଅତିରିକ୍ତ ଖାଲି ପଦବୀ ସୃଷ୍ଟି କରାଯିବ ଏବଂ ଆବଶ୍ୟକ ହେଲେ ତାଙ୍କୁ ଚାକିରି ଦିଆଯି ବ।