କନକବ୍ୟୁରୋ:ସୁନୀତାଙ୍କୁ ଫେରାଇ ଆଣିବାକୁ କ୍ରିଉ-୯ ମିଶନ ପହଞ୍ଚିଲା ମହାକାଶ ସେଣ୍ଟରରେ । ଇଣ୍ଟରନ୍ୟାଶ୍‌ନାଲ ସ୍ପେସ୍‌ ସେଣ୍ଟରରୁ ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଓ ବୁଚ୍‌ ଓ୍ବିଲ୍‌ମୋରଙ୍କୁ ଫେରାଇ ଆଣିବା ପାଇଁ ଅଭିଯାନ ଆରମ୍ଭ ହୋଇଛି । ମିଶନ ‘କ୍ରିଉ-୯’ ଆଜି ପହଞ୍ଚିଛି ସ୍ପେସ ଷ୍ଟେସନରେ । 

Advertisment

ଏହାର ଭିଡିଓ ଜାରି କରିଛି ନାସା । ସୁନିତା ଓ ବୁଚ୍‌ ଓ୍ବିଲ୍‌ମୋରଙ୍କ ସହ କ୍ରିଉ ନାଇନର ସଦସ୍ୟ ଭେଟିବା ସମୟରେ ଭାବବ୍ବହଳ ହୋଇପଡିଥିଲା ସମସ୍ତେ । ପରସ୍ପର ଆଲିଙ୍ଗନ କରିବା ସହ କ୍ରିଉ ୯ ସଦସ୍ୟଙ୍କୁ ସ୍ବାଗତ କରିଥିଲେ ସୁନିତା । ନାସାର ଏହି ମିଶନରେ ସୁନୀତା ଏବଂ ବୁଚ୍‌ଙ୍କୁ ଫେରାଇ ଆଣିବା ପାଇଁ ୨ଟି ସିଟ୍‌ ଖାଲି ରଖାଯାଇଛି ।

 ମିଶନରେ ପ୍ରାୟ ୫ ମାସ ପର୍ଯ୍ୟନ୍ତ  ସ୍ପେସ ଷ୍ଟେସନ ଯାଇଥିବା ଦୁଇ ମହାକାଶଚାରୀ ହେଗ୍‌ ଓ ଗୋର୍ବୁନୋଭ ଆଇଏସ୍‌ଏସ୍‌ରେ ରହିବେ। ଏହି ଅବଧି ମଧ୍ୟରେ ଉଭୟେ ଆଇଏସ୍‌ଏସ୍‌ରେ ୨୦୦ରୁ ଅଧିକ ବୈଜ୍ଞାନିକ ଓ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧିତ ପରୀକ୍ଷଣ କରିବେ। ସେହିପରି ମହାକାଶରେ ପ୍ରାୟ ୪ ମାସ ଧରି ଫସି ରହିଥିବା ସୁନୀତା ଏବଂ ବୁଚ୍‌ ମଧ୍ୟ କ୍ରିଉ-୯ ମିଶନରେ ସାମିଲ ହେବେ।

ଆସନ୍ତା ବର୍ଷ ଫେବୃଆରୀରେ ହେଗ୍‌ ଓ ଗୋର୍ବୁନୋଭଙ୍କ ସହ ସୁନୀତା ଓ ବୁଚ୍‌ ମଧ୍ୟ ଡ୍ରାଗନ୍‌ କ୍ୟାପସୁଲ ଯୋଗେ ପୃଥିବୀ ଫେରି ଆସିବେ। ଏହା ସହ କ୍ରିଉ-୯ ମିଶନ ଶେଷ ହେବ ବୋଲି ନାସା ସୂଚନା ଦେଇଛି । ତେବେ ଗତ ଜୁନ ୬ରେ ବୋଇଂ ଷ୍ଟାରଲାଇନର୍‌ କ୍ୟାପସୁଲ ଯୋଗେ ଉଭୟ ସୁନୀତା ଓ ବୁଚ୍‌ ଆଇଏସ୍‌ଏସ୍‌ରେ ପହଞ୍ଚିଥିଲେ ।

ତେବେ ଷ୍ଟାର୍‌ଲାଇନର୍‌ରେ ହିଲିୟମ ଲିକ୍‌ ହେବା ଯୋଗୁ ଏଥିରେ ଉଭୟ ମହାକାଶଚାରୀଙ୍କୁ ପୃଥିବୀ ଫେରାଇ ଆଣିବାକୁ ନାସା ନିରାପଦ ମଣି ନ ଥିଲା। ତେଣୁ ଗତ ୬ରେ କୌଣସି କ୍ରିଉ ସଦସ୍ୟଙ୍କ ବିନା ଷ୍ଟାର୍‌ଲାଇନର୍‌ ପୃଥିବୀ ଫେରି ଆସିଥିଲା।