କନକ ବ୍ୟୁରୋ: ନୂଆପଡ଼ା ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନି ସତ ହେଲେ ପୂଜା ବଜାରରେ ଲୋକଙ୍କ ସହ ମିଶି ପ୍ରଚାରକୁ ଜୋରଦାର କରିଛନ୍ତି ଆଶାୟୀ ପ୍ରାର୍ଥୀ । ଏସବୁ ଭିତରେ ଆଗାମୀ ସାଢ଼େ ୩ ବର୍ଷ ପାଇଁ ନୂଆପଡ଼ାର ନେତୃତ୍ବ କିଏ ନେବ ତାହାକୁ ନେଇ ଅଙ୍କ କଷିଲେଣି ୩ ରାଜନୈତିକ ଦଳ ।
ବିଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇନି। ହେଲେ ନୂଆପଡ଼ା ଦଖଲ କରିବାକୁ ଏବେଠୁ ପାଗ ଭିଡ଼ିଲାଣି ବିଜେପି । ପୂର୍ବତନ ସାଂସଦ ବସନ୍ତ ପଣ୍ଡା ଓ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ଧରି ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ହେଲେ ବିଜେପିର ପ୍ରାର୍ଥୀ କିଏ ହେବ ତା ଉପରୁ ଏଯାଏଁ ହଟିନି ପରଦା । ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଓଡ଼ିଶା ଓ କେନ୍ଦ୍ରୀୟ ଟିମ୍ ସର୍ଭେ କରୁଛି । ଲୋକପ୍ରିୟତା ଓ ଦଳୀୟ ଚିନ୍ତାଧାରାରେ କାର୍ଯ୍ୟ କରୁଥିବା ଚେହେରାଙ୍କୁ ମୈଦାନକୁ ଓହ୍ଲାଇବ ଦଳ । ଏଭଳି ସଙ୍କେତ ଦେଇ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମନମୋହନ।
ପ୍ରାର୍ଥୀଙ୍କୁ ନେଇ ବିଜେପି ନିଜର କାର୍ଡ ଖୋଲିନଥିବାବେଳେ ଜୟ ଢୋଲକିଆ ଓ ଘାସିରାମ ମାଝୀ ନିଜକୁ ଯଥାକ୍ରମେ ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ଦଳୀୟ ମୋହର ବାଜିନଥିଲେ ମଧ୍ୟ ଦଳୀୟ ଲୋକଙ୍କୁ ଧରି ବିଭିନ୍ନ ପୂଜା ମଣ୍ଡପ ବୁଲି ପ୍ରଚାରକୁ ଜୋରଦାର କରିଛନ୍ତି ଜୟ ଓ ଘାସିରାମ । ନୂଆପଡ଼ାରେ ଜୟଙ୍କ ପ୍ରଚାର ଭିତରେ ବିଜେଡି କହିଛି, ନୂଆପଡ଼ା ବିଜେଡିର ଥିଲା, ଆଗକୁ ବି ରହିବ । ଅନ୍ୟପଟେ କଂଗ୍ରେସ କହିଛି, ନୂଆପଡ଼ା ପାଇଁ ସ୍ବତନ୍ତ୍ର ପ୍ଲାନ୍ କରିଛି ଦଳ । ଏଥର କଂଗ୍ରେସର ବିଜୟ ସୁନିଶ୍ଚିତ । ନୂଆପଡ଼ା ଦଖଲ କରିବାକୁ ଭିନ୍ନ ଭିନ୍ନ ଅଙ୍କ କଷୁଛନ୍ତି ୩ ଦଳ। ହେଲେ ନୂଆପଡ଼ାବାସୀ କାହାକୁ ଭରସିବେ ତାହା ଉପରେ ରହିବ ପୂରା ଓଡ଼ିଶାର ନଜର ।