କନକ ବ୍ୟୁରୋ: ମୋହନ ସରକାରଙ୍କ ବର୍ଷ ପୂରାଣି ଲାଗି ଆରମ୍ଭ ହୋଇଛି ଉଦ୍ୟମ । ସରକାରଙ୍କ ସଫଳତା ଓ ପ୍ରତିଶ୍ରୁତି ପୂରଣର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଯିବ । ରାଜଧାନୀରୁ ଗାଁ ଯାଏଁ, ସବୁଠି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଘନ ଘନ ବୈଠକ ବସି ପ୍ରସ୍ତୁତ ହୋଇଛି କାର୍ଯ୍ୟକ୍ରମର ରୂପରେଖ ।

Advertisment
  • ରାଜଧାନୀରୁ ଗାଁ ଯାଏଁ ଉତ୍ସବର ଆୟୋଜନ
  • ସଫଳତାର ପକ୍ଷ ପାଳିବେ ରାଜ୍ୟ ସରକାର

ଜୁନ୍‌ ୧୨ରେ ମୋହନ ସରକାରକୁ ପୂରିବ ବର୍ଷେ । ବର୍ଷ ପୂରାଣି ଲାଗି ଜୋରଦାର ଚାଲିଛି ପ୍ରସ୍ତୁତି । ଏଥିଲାଗି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ନେତୃତ୍ବରେ ଗଢ଼ା ହୋଇଛି କମିଟି । ଯେଉଁ କମିଟି ବିଭିନ୍ନ ପ୍ରସ୍ତାବ ଦେଉଛି ଓ ଏହା ଉପରେ ଘମାସନ ଆଲୋଚନା ବି ହେଉଛି । ଏହା ଭିତରେ ୨ଥର ବୈଠକ ବସି ସରକାରଙ୍କ ସଫଳତାର କାହାଣୀ ଲୋକଙ୍କ ପାଖରେ ପହଞ୍ଚାଇବାକୁ ତିଆରି ହୋଇଛି ନୀଳନକ୍ସା । ଜୁନ ୧୧ରୁ ୧୩ ଯାଏଁ ରାଜ୍ୟସ୍ତରୀୟ ଉତ୍ସବ, ପରେ ଜିଲ୍ଲା, ବ୍ଲକ୍‌ ଓ ପଞ୍ଚାୟତରେ ପହଞ୍ଚିବ ପ୍ରତିଶ୍ରୁତି ପୂରଣର ପୂରା ତଥ୍ୟ । କେଉଁ ନୂଆ ଯୋଜନା ଲାଗୁ ହୋଇଛି? କେଉଁ ଯୋଜନାର ହିତାଧିକାରୀ କେତେ? ଲୋକଙ୍କୁ ମିଳିଛି କେଉଁ ଯୋଜନାର ସୁଫଳ? ବିଭାଗୱାରୀ ଏହାର ଟିକିନିଖି ଚିତ୍ର ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରାଶାସନିକ ପ୍ରସ୍ତୁତି ଲାଗି ନିର୍ଦ୍ଦେଶ ଦିଆଯାଇଛି । 

  • ଜିଲ୍ଲାସ୍ତରରେ ତିନିଦିନିଆ ସଭା ହେବ
  • ଓରମାସ୍‌ ସହାୟତାରେ ୫ ଦିନିଆ ପ୍ରଦର୍ଶନୀ

ଭୁବନେଶ୍ବର ଜନତା ମଇଦାନରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ହେବ । ସୂଚନା ଓ ଲୋକସମ୍ପର୍କ ବିଭାଗ ପୁସ୍ତିକା ଛାପିବ । ଅନ୍ୟ ବିଭାଗ ବି ସଫଳତା ସମ୍ପର୍କିତ ପୁସ୍ତକ ଛାପିବେ । ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମକୁ ନେଇ ‘ପ୍ରଗତି ପ୍ରବାହ’ ପୁସ୍ତିକାର ପ୍ରଥମ ସଂସ୍କରଣ ପ୍ରକାଶ ପାଇବ । ସଂସ୍କୃତି ବିଭାଗ ପକ୍ଷରୁ ଲଳିତକଳା ଏକାଡେମି ସହଯୋଗରେ ଚିତ୍ରକଳା କ୍ୟାମ୍ପ୍‌ ଅନୁଷ୍ଠିତ ହେବ । ଅନ୍ୟପଟେ ସୁଭଦ୍ରାକୁ ବାଦ୍‌ ଦେଲେ ଅନ୍ୟ ପଦକ୍ଷେପ ସରକାରକୁ ଆଖିଦୃଶିଆ ସଫଳତା ଦେଇନଥିବା କହିଛନ୍ତି ସମୀକ୍ଷକ । 

ଓଡ଼ିଆ ଅସ୍ମିତାକୁ ଗୁରୁତ୍ବ, ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦିଆଯିବ । ରାଜ୍ୟ ସହ କେନ୍ଦ୍ର ସରକାରଙ୍କ ସଫଳତା ବି ଦର୍ଶାଯିବ । ୧୫ ଦିନ ଧରି ଲୋକଙ୍କ ପାଖରେ ଲୋକଙ୍କ ସରକାର ବାନ୍ଧି ହୋଇ ରହିବାକୁ ସରକାର ନିଷ୍ପତ୍ତି ନେଇଥିବା କୁହାଯାଉଛି ।