କନକ ବ୍ୟୁରୋ: ବୌଦ୍ଧରେ ଅଘଟଣ ଘଟିବା ପରେ ବେଆଇନ ବାଣ ଉପରେ ରାଜ୍ୟ ପୁଲିସର ଜୋରଦାର ଚଢ଼ାଉ। ଅପରେସନ ଅଗ୍ନି ଜରିଆରେ କରାଯାଉଛି ଖୋଳତାଡ଼। ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ ସହ ବିପୁଳ ପରିମାଣର ବାଣ ଜବତ ହୋଇଛି।
ରାଜ୍ୟର ବିଭିନ୍ନ ଜିଲ୍ଲାରେ ବେଆଇନ ବାଣ ଉପରେ ଚଢ଼ାଉ। ଜଗତସିଂହପୁରରୁ ଜଳେଶ୍ୱର, ଭଦ୍ରକରୁ ବାଲିଗୁଡ଼ା ସବୁଆଡ଼େ ଚଢ଼ାଉ କରୁଛି ପୁଲିସ। ଭଦ୍ରକ ଧାମନଗର ଥାନା ଦେହୁଡିଆପୁର ଉତେଇପୁରରେ ଚଢ଼ାଉ ବେଳେ ୫ ଲକ୍ଷରୁ ଅଧିକ ମୂଲ୍ୟର ବାଣ ଜବତ ହୋଇଛି। ୩ ଜଣ ଗିରଫ ହୋଇଛନ୍ତି।
ଛତ୍ରପୁର ଏନଏସିର ୩ଟି ସ୍ଥାନରୁ ଚଢ଼ାଉ ବେଳେ ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବାଣ ଜବତ ସହ ୨ ଜଣ ଅଟକ ରହିଛନ୍ତି। ୭ ଟି ଗାଡ଼ି ବାଣ ଜବତ ହୋଇଛି।
ଜଳେଶ୍ଵର ଥାନା ପଶ୍ଚିମବାର୍ଚ ଗାଁରୁ ୫୦ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ ହୋଇଥିବା ବେଳେ ଜଣେ ଅଟକ ରହିଛନ୍ତି। ବେଆଇନ ବାଣ କାରଖାନା ଚାଲିଥିବା ଅଭିଯୋଗ ହୋଇଥିଲା।
କନ୍ଧମାଳ ଜିଲ୍ଲା ବାଲିଗୁଡା ପୁଲିସ ରାତିରେ ବେଆଇନ ବାଣ ଗୋଦାମରେ ଚଢ଼ାଉ କରି ବ୍ୟାପକ ପରିମାଣର ବାଣ ଜବତ କରିଛି। ଗୋଦାମ ଭିତରେ ୧୧୧ ପ୍ରକାରର ବାଣ ମିଳିଥିଲା। ଜବତ ବାଣକୁ ୩ଟି ପିକଅପ ଭ୍ୟାନରେ ଥାନାକୁ ଅଣାଯାଇଛି।
ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ବେଗୁନିଆ ଗାଁରୁ ୫ ଲକ୍ଷ ଟଙ୍କାର ବାଣ ଜବତ ହେବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍। ସମ୍ବଲପୁର ଦଲାଇପଡାରେ ବେଆଇନ ବାଣ କାରଖାନା ଉପରେ ଚଢ଼ାଊ ବେଳେ ୧୫ ଲକ୍ଷ ଟଙ୍କାର ବାଣ ଜବତ ହୋଛି। ଜବତ ବାଣକୁ ଅଗ୍ନିଶମ ବାହିନୀ ପାଣିରେ ଭିଜାଇ ନଷ୍ଟ କରିଛି। ତେବେ ପ୍ରଶ୍ନ ଉଠୁଛି, ବେଆଇନ ବାଣ କାରବାର ନେଇ ପୂର୍ବରୁ ଜାଣିନଥିଲା କି ପୁଲିସ? ନା ବୌଦ୍ଧ ଅଘଟଣ ପରେ ଚେତା ପଶିଲା?