କନକ ବ୍ୟୁରୋ: ମେଣ୍ଢା ଚୋରି ପାଇଁ କାରରେ ଆସିଥିଲେ ୪ ଜଣ ଦୁର୍ବୃତ୍ତ । ମେଣ୍ଢା ଚୋରି କରି କାର୍ରେ ଫେରାର୍ ମାରିବା ବେଳେ ଧରାପଡିଯିବା ଭୟରେ ମେଣ୍ଢା ମାଲିକଙ୍କ ଉପରେ କାର ଚଢାଇଦେଲେ । ଫଳରେ ବାଇକ୍ରେ ଥିବା ୩ ଜଣ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ପୁରୀ ଜିଲ୍ଲା ବଳଙ୍ଗା ଥାନା ତରବୋଇ ଶାସନ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି ।
ତରବୋଇ ଶାସନ ଗାଁର ବିରଞ୍ଚି ମହାରଣା ମେଣ୍ଢା ପାଳନ କରନ୍ତି I ଗୁହାଳରେ ୫ଟି ମେଣ୍ଢା ରଖିଥିଲେ। କାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏକ କାର୍ରେ ଆସି ଗୁହାଳରୁ ସବୁ ମେଣ୍ଢା ଚୋରି କରି ନେଇଥିଲେ । ଏହି ସମୟରେ ବିରଞ୍ଚିଙ୍କ ନିଦ ଭାଙ୍ଗି ଯାଇଥିଲା । ଏହା ଜାଣିବା ପରେ ଦୁର୍ବୃତ୍ତମାନେ କାର୍ ନେଇ ଚମ୍ପଟ ମାରିଥିଲେ। ଦ୍ରୁତ ଗତିରେ ଦଣ୍ଡିପୁର ଦେଇ ହରିପୁର ଅଭିମୁଖେ ପଳାଇଥିଲେ ଚୋର । ମେଣ୍ଢା ଚାଷୀ ବିରଞ୍ଚି, ପତ୍ନୀ ଏବଂ ପୁତୁରା ଗୋଟିଏ ବାଇକ୍ରେ ଦୁର୍ବୃତ୍ତଙ୍କୁ ପିଛା କରି କରି ଅଧ ବାଟରେ କାରକୁ ରୋକିଥିଲେ। ଏହ ସମୟରେ ଚୋରମାନେ ସମସ୍ତଙ୍କୁ ଗାଡି ମଡ଼ାଇ ପଳାଇଥିଲେ ।