କନକ ବ୍ୟୁରୋ : ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣାକୁ ନେଇ ରାଜନୀତି ଜୋର ଧରିଛି । ଅଭିଯୁକ୍ତ ମହମ୍ମଦ ସରିଫୁଲ ଇସମାଇଲକୁ ଧରିବା ପରେ ଅନେକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ମହମ୍ମଦ ବାଂଲାଦେଶୀ ନୁହେଁ ବୋଲି ତା ଓକିଲ ଦାବି କରିଆସୁଥିବାବେଳେ ମୁମ୍ବାଇ ପୁଲିସ କିନ୍ତୁ କହିଛି ସେ ଜଣେ ବାଂଲାଦେଶୀ ଓ ୬ମାସ ପୂର୍ବରୁ ମୁମ୍ବାଇକୁ ଆସିଥିଲା ।
ସୈଫଙ୍କୁ ଆକ୍ରମଣ: କିଏ ଏହି ମାଷ୍ଟରମାଇଣ୍ଡ
-ମାଷ୍ଟରମାଇଣ୍ଡ ୩୦ବର୍ଷ ବୟସର ମହମ୍ମଦ ସରିଫୁଲ ଇସମାଇଲ
-ବାଂଲାଦେଶ ବାସିନ୍ଦା ଓ ଜଣେ କୁସ୍ତି ଖେଳାଳି
-ସେପ୍ଟେମ୍ବର ମାସରୁ ମୁମ୍ବାଇରେ ରହି ଆସୁଛି
-ୱରଲିର ଏକ ପବରେ ୱେଟର ଭାବେ କାମ କରୁଥିଲା
-ଚୋରି ମାମଲାରେ ଚାକିରିରୁ ବିଦା ହୋଇଥିଲା
ପୁଲିସକୁ ବୟାନ ଦେଇ ଜାନୁଆରୀ ୧୫ ତାରିଖ ଭୋରୁ ସେ କେମିତି ସୈଫଙ୍କ ଘରେ ପଶିଥିଲା, କଣ ରହିଥିଲା ଉଦ୍ଦେଶ୍ୟ ସେହି ସବୁ ବଖାଣିଛି ମହମ୍ମଦ ।
ସିଢ଼ି ଦେଇ ସୈଫଙ୍କ ଘରେ ପଶିଥିଲା ଅଭିଯୁକ୍ତ
-ବୁଧବାର ଭୋରୁ ଚୋରି ଉଦ୍ଦେଶ୍ୟରେ ସୈଫଙ୍କ ଘରେ ପଶିଥିଲା
-ସିଢ଼ିରେ ଦେଇ ୧୨ମହଲା ଘରର ୮ ନମ୍ବର ଫ୍ଲୋରରେ ପହଁଚିଥିଲା
-ବାଥରମ ଝରକା ଦେଇ ପଶିବା ପରେ ସୈଫଙ୍କ ସାନ ପୁଅ ରୁମକୁ ଯାଇଥିଲା
ତେବେ ଘରେ ପଶିବା ପରେ ସହାୟକକର୍ମୀ ତାକୁ ଦେଖି ଚିତ୍କାର କରିବା ପରେ ସୈଫ ରୁମରୁ ବାହାରି ଆସିଥିଲେ । ଅଜଣା ଲୋକକୁ ଦେଖି ତାକୁ କିଏ ବୋଲି ପଚାରିବାରୁ ଉଭୟଙ୍କ ମଧ୍ୟ ପ୍ରଥମେ ମୁହାଁମୁହିଁ ଘଟିଥିଲା । ପରେ ଅଭିନେତାଙ୍କୁ ୬ଥର ଛୁରି ଭୁଷି ଫେରାର ହୋଇଥିଲା ଅଭିଯୁକ୍ତ । ତେବେ ୩ଦିନ ପରେ ପୁଲିସ କବଜାକୁ ଆସିଛି ମାଷ୍ଟରମାଇଣ୍ଡ । ଜେରା ସମୟରେ ଅଭିଯୁକ୍ତ କହିଛି ସୈଫଙ୍କ ଘରୁ ଫେରାର ପରେ..
୩ଦିନ ଧରି ଠିକଣା ଓ ବେଶ ବଦଳାଇଥିଲା ଅଭିଯୁକ୍ତ
-ଗୁରୁବାର ଅଭିଯୁକ୍ତ ପ୍ରଥମେ ବସଷ୍ଟାଣ୍ଡରେ ପହଁଚି କିଛି ସମୟ ଶୋଇଥିଲା
-ପରେ ଠାଣେ ରେଳଷ୍ଟେସନକୁ ଆସିଥିଲା
-ସେଠାରେ ପୋଷାକ ଓ ଠିକଣା ବଦଳାଇ ୩ଦିନ ଧରି ଲୁଚି ରହିଥିଲା
-ମୁମ୍ବାଇ ପୁଲିସ ଜଣେ ଶ୍ରମିକ ଠିକାଦାରଙ୍କ ସହାୟତାରେ ଅଭିଯୁକ୍ତକୁ ଧରିଛି
-ସିସିଟିଭି ଫୁଟେଜ ଆଧାରରେ ପୁଲିସକୁ ଠୋସ ପ୍ରମାଣ ମିଳିଥିଲା
-ମାଷ୍ଟରମାଇଣ୍ଡକୁ ଧରିବାକୁ ପୁଲିସ ୩୫ ଟିମ ଗଠନ କରିଥଲା
ଅନ୍ୟପଟେ ତେବେ ଘଟଣାକୁ ନେଇ ରାଜନୈତିକ ଦଳମାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ଶିବସେନା ଉଦ୍ଧବ ଗୋଷ୍ଟୀ ବିଜେପି ସରକାରଙ୍କୁ ଦାୟୀ କରିଛି । ପ୍ରଥମେ ବାଂଲଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ଏବେ ଏଭଳି କିଛି ବାଂଲାଦେଶୀଙ୍କୁ ଶରଣ ଦେଇ ବିଜେପି ସରକାର ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି । ସୈଫଙ୍କୁ ଆକ୍ରମଣ ଘଟଣା କେବଳ ବଲିଉଡ ନୁହେଁ ପୂରା ମୁମ୍ବାଇରେ ଚହଳ ପକାଇଥିଲା । ମାଷ୍ଟରମାଇଣ୍ଡକୁ ଧରିବା ପୂର୍ବରୁ ୨ଜଣ ସନ୍ଦିଗ୍ଧକୁ ଅଟକ ରଖି ପଚରାଉଚରା କରିଥିଲା । ତେବେ ୩୫ଟିମ କସରତ ପରେ ରବିବାର ଠାଣେରୁ ଧରାପଡିଛି ମାଷ୍ଟରମାଇଣ୍ଡ ।