କନକ ବ୍ୟୁରୋ : ଯୁଆଡ଼େ ଦେଖିବ ସିଆଡ଼େ ଦୁର୍ନୀତି । ସବୁ ବିଭାଗରେ ହେରଫେର । ଡିଜିଟାଲ ବ୍ୟବସ୍ଥାକୁ ନ ଆପଣାଇ ମାନୁଆଲ ଉପାୟରେ କାମ ହେଉଥିବାରୁ ଖୋଲାଖୋଲି ହେଉଛି ସରକାରୀ ଅର୍ଥ ଆତ୍ମସାତ , ଯେଉଁ ଦୁର୍ନୀତିକୁ ଧରିଛନ୍ତି ସିଏଜି । ନୀତିନିୟମ, ସରକାରୀ ବ୍ୟବସ୍ଥାକୁ ପାଦରେ ଦଳିମକଚି ବର୍ଷ ବର୍ଷ ଧରି ଚାଲିଥିଲା ହରିଲୁଟ୍ । ସିଏଜି ଅଡିଟ ପରେ ଏହାର ଖୁଲାସା ହୋଇଛି । ଗତକାଲି ବିଧାନସଭାରେ ଉପସ୍ଥାପିତ ହୋଇଥିବା ସିଏଜି ରିପୋର୍ଟରେ ଆସିଛି ସଙ୍ଗିନ ଓ ସାଂଘାତିକ ତଥ୍ୟ । ପୂର୍ବ ସରକାର ସମୟରେ ଅମୃତ ଓ ବସୁଧା ଯୋଜନାରେ ୨୮୦୮ କୋଟି ଖର୍ଚ୍ଚ ହୋଇଛି ହେଲେ ସାଧାରଣ ଲୋକଙ୍କୁ ପାଣି ମିଳିନି । କାରଣ କେଉଁଠି ପ୍ରକଳ୍ପ ଅଧପନ୍ତରିଆ ତ ପୁଣି କେଉଁଠି ଏଯାଏଁ ଆରମ୍ଭ ହୋଇନି ପ୍ରକଳ୍ପ । ସ୍ବଚ୍ଛତା ନଥିବାରୁ ଇ-ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଧରିଛନ୍ତି ସିଏଜି । ଏକାଧିକ ବିଡର୍‌ଙ୍କ ନାମରେ ସମାନ ପାନ୍ ନମ୍ବର ଥିବା ବେଳେ ସମୟସୀମା ପରେ ମଧ୍ୟ ବିଡ଼୍ ଦାଖଲ ହୋଇଛି । 

Advertisment

ଡିଜିଟାଲ ବ୍ୟବସ୍ଥା ଆପଣାଇବାକୁ ପୁଲିସ ବିଭାଗ ନାକ ଟେକୁଛି । ୧୭୬.୧୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଅପରାଧ ଓ ଅପରାଧୀ ଟ୍ରାକିଂ ନେଟ୍‌ୱର୍କ ସିଷ୍ଟମ୍‌ ଏବେ ଖତ ଖାଉଛି । ଏହାର ଫାଇଦା କିଛି ଦୁର୍ନୀତିଖୋର ପୁଲିସ ବାବୁ ଉଠାଇଛନ୍ତି। ୪୧୨ଟି ମାମଲାରେ ଜେନେରାଲ ଡାଏରି ତାରିଖ ପୂର୍ବରୁ ଏତଲା ତାରିଖ ଦର୍ଶାଯାଇଛି । ମଡେଲ ଡିଗ୍ରି କଲେଜ ନାଁରେ ୪୦ କୋଟି ସ୍ବାହା । ୫ଟି କଲେଜ ହୋଇପାରିନଥିବା ବେଳେ ଗୋଟିଏ କଲେଜକୁ ରାଜପଥ ନିର୍ମାଣ ପାଇଁ ଅଧିଗ୍ରହଣ ହୋଇଛି । ସେହିଭଳି ଉତ୍କଳ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ଉନ୍ନତି ପାଇଁ ଆସିଥିବା ଟଙ୍କାରେ କୁଳପତିଙ୍କ ବାସଭବନ ପାଇଁ କିଣାଯାଇଛି ସୌଖୀନ ସାମଗ୍ରୀ । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି । ପ୍ରଶ୍ନ ଉଠୁଛି, ସିଏଜି ଧରିଥିବା ଦୁର୍ନୀତିର କେବେ ହେବ ତଦନ୍ତ? କେବେ କାର୍ଯ୍ୟାନୁଷ୍ଠାନ ନେବେ ସରକାର ?