କନକ ବ୍ୟୁରୋ: ଖାଇଗଲେ ଆଦିବାସୀଙ୍କ ଟଙ୍କା । ସରକାର ଆଦିବାସୀଙ୍କ କଲ୍ୟାଣ ବାବଦରେ ଖର୍ଚ୍ଚ କରିବାକୁ ଟଙ୍କା ଦେଉଥିଲେ । କିନ୍ତୁ ଅଧିକାଂଶ ଟଙ୍କା ଯନ୍ତ୍ରୀମାନଙ୍କ ପକେଟ୍କୁ ଯାଉଥିଲା । କାର୍ଯ୍ୟ ଦାୟିତ୍ବରେ ଥିବା ଯନ୍ତ୍ରୀମାନେ ସରକାରୀ ଅର୍ଥକୁ ନିଜ ବ୍ୟକ୍ତିଗତ ଖାତାକୁ ପଠାଉଥିଲେ । ସେହି ଟଙ୍କାକୁ ଏଟିଏମ୍ ଜରିଆରେ ଉଠାଉଥିଲେ । ୟୁପିଆଇ ଜରିଆରେ ଅନ୍ୟକୁ ପଠାଉଥିଲେ । ମୋବାଇଲ୍ ରିଚାର୍ଜ କରୁଥିଲେ । ବିଦ୍ୟୁତ୍ ଓ ପାଣି ବିଲ୍ ଦେଉଥିଲେ । ମ୍ୟୁଚୁଆଲ୍ ଫଣ୍ଡ୍ ଓ ଷ୍ଟକ୍ ବଜାରରେ ନିବେଶ କରୁଥିଲେ । ଚେକ୍ ଜରିଆରେ ଟଙ୍କା ଉଠାଉଥିଲେ । ନିଜ ବ୍ୟକ୍ତିଗତ ବୀମାର ପ୍ରିମିୟମ ଦେଉଥିଲେ । ଏକଥା ସିଏଜି ରିପୋର୍ଟରେ ଜଣାପଡ଼ିଛି ।
ଗରିବ ଆଦିବାସୀଙ୍କ ଟଙ୍କାକୁ ସବୁ ପ୍ରକାର ସମ୍ଭବ ବାଟରେ ଚଳୁ କରିଛନ୍ତି ଅଧିକାରୀ । ସିଏଜି ରିପୋର୍ଟରେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ଆଦିବାସୀ କଲ୍ୟାଣ ଓ ବିକାଶମୂଳକ ଯୋଜନାର ପାଣ୍ଠିକୁ କିଭଳି ଆଖିବୁଜା ହଡ଼ପ କରାଯାଇଛି, ତାହାର ସତ୍ୟ ସାମ୍ନାକୁ ଆସିଛି । ବୁଧବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥାପନ କରିଥିବା ୨୦୨୩ ମାର୍ଚ୍ଚ ସୁଦ୍ଧା ଅନୁପାଳନ ସମୀକ୍ଷା ରିପୋର୍ଟରେ ଅନେକ ସାଂଘାତିକ ତଥ୍ୟ ରହିଛି ।