କନକ ବ୍ୟୁରୋ: ସିଏଜି ଧରିଲେ ଦୁର୍ନୀତି । ରାଜ୍ୟରେ ଲଘୁ ଖଣିଜ ଖନନରେ ହେଉଥିବା ବ୍ୟାପକ ହେରଫେରକୁ ଧରିଛନ୍ତି ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ । ସିଏଜି ରିପୋର୍ଟରୁ ସ୍ପଷ୍ଟ ହୋଇଛି , ବେଆଇନ ଖନନ ରୋକିବାରେ ତହସିଲଦାରମାନେ ବିଫଳ ହୋଇଛନ୍ତି । କେଉଁଠି ଠିକ୍ ଭାବେ ରୟାଲ୍ଟି ଓ ଅନ୍ୟାନ୍ୟ ଦେୟ ଆଦାୟ ହୋଇନି ତ ଆଉ କେଉଁଠି ବେଆଇନ ଖନନକୁ ରୋକାଯାଇନି। ଏହି କାରଣରୁ ୪ହଜାର ୬୨୪ ଦଶମିକ ୫୮ କୋଟି ଟଙ୍କାର ଲଘୁ ଖଣିଜ ଲୁଟ୍ ହୋଇଛି ।
ସିଏଜି ରିପୋର୍ଟରେ କହିଛନ୍ତି, ଯେ ପଥର ଖାଦାନ ଓ ବାଲି ଘାଟରେ ବ୍ୟାପକ ବେଆଇନ ଉତ୍ତୋଳନ ଓ ଖନନ ହେଉଛି । ଲିଜ୍ଧାରୀ ଆଇନର ବ୍ୟାପକ ଉଲଙ୍ଘନ କରିଛନ୍ତି । ଢେଙ୍କାନାଳ, ଯାଜପୁର, ଧର୍ମଶାଳା, ରାଉରକେଲା, ଯୁଯୁମୁରା, ବଲାଙ୍ଗୀର ପର୍ଯ୍ୟନ୍ତ ସବୁଠି ବେଆଇନ୍ ଭାବେ ଲଘୁ ଖଣିଜ ଉତ୍ତୋଳନ କରାଯାଇଛି । ଫଳରେ ସରକାରଙ୍କ ବ୍ୟାପକ ରାଜସ୍ବ ହାନି ହୋଇଛି । ଧର୍ମଶାଳା, ରାଉରକେଲା ଓ ସମ୍ବଲପୁରରେ ୫ଟି ଖାଦାନରୁ ଅଧିକ ପଥର ଖୋଳି ନିଆଯାଇଛି । ସେହିପରି ଧର୍ମଶାଳା ତହସିଲର ଛନ୍ଦାଦେଇପୁର ଓ ରାଇଛନ୍ଦାରେ ବ୍ରାହ୍ମଣୀ ନଦୀ, ବୁଢ଼ା ନଦୀର ଭଗବତପୁର ଓ ଟିପ୍ରା ଏବଂ ଋଷିକୁଲ୍ୟା ନଦୀର ହଂସପୁରଠାରେ ମେସିନ୍ ସାହାଯ୍ୟରେ ବାଲି ଉତ୍ତୋଳନ କରାଯାଉଥିବା ଅଡିଟ୍ ବେଳେ ଧରାପଡ଼ିଥିଲା । ଢେଙ୍କାନାଳର ଗେଙ୍ଗୁଟିଆ ବାରଦା ଖାଦାନରୁ ବ୍ୟାପକ ବାଲି ଚୋରି ହୋଇଛି। ଲିଜ୍ଧାରୀମାନେ ଲିଜ୍ ଡିଡ୍ କାର୍ଯ୍ୟକାରୀ ନ କରି ଏବଂ ବିନା ପରିବେଶ ମଞ୍ଜୁରୀରେ ଖନନ କରୁଛନ୍ତି ।
୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟର ୫୨୦ଟି ଲଘୁ ଖଣିଜ ପଦାର୍ଥ ଉତ୍ସରୁ ମାତ୍ର ୧୪୭ଟି କାର୍ଯ୍ୟକ୍ଷମ ଥିବା ବେଳେ ଅନ୍ୟ ୩୭୩ଟି ବନ୍ଦ ରହିଥିଲା ବୋଲି ସିଏଜିଙ୍କ ରିପୋର୍ଟ କହୁଛି । ଖଣିଜ ଉତ୍ସ ନିଲାମରେ ମଧ୍ୟ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉ ନଥିବାରୁ ସରକାରଙ୍କୁ ୬.୨୧ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା । ସେହିପରି ବିଡ୍ ଆହ୍ବାନ ପୂର୍ବରୁ ଆବଶ୍ୟକୀୟ ଔପଚାରିକତା ପୂରଣ କରାଯାଇ ନଥିବାରୁ ୨୦.୧୦ କୋଟି ଟଙ୍କା ମିଳିପାରି ନଥିଲା। ୧୦ ତହସିଲ ଓ ଦୁଇଟି ସବ୍ଡିଭିଜନ୍ରେ ଲଘୁ ଖଣିଜ ଚୋରି ରୋକିବା ଲାଗି ଓଡ଼ିଶା ଶିଳ୍ପ ସୁରକ୍ଷା ବଳ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇନି । ଚୋରି ରୋକିବାକୁ ୧୦୬୨ଥର ଚଢ଼ଉ ଆବଶ୍ୟକ ଥିବାବେଳେ ମାତ୍ର ୧୬ ଥର ଚଢ଼ଉ କରାଯାଇଥିଲା।