Photograph: (kanaknews)
କନକ ବ୍ୟୁରୋ : ଖୁବଶୀଘ୍ର ହୋଇପାରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ବଣ୍ଟା ହୋଇପାରେ ନିଗମ ଓ ବୋର୍ଡ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ରବିବାର ବସିଥିବା ବୈଠକରେ ଏହା ଉପରେ ଚର୍ଚ୍ଚା ଓ ଆଲୋଚନା ହୋଇଥିବା କୁହାଯାଉଛି । ସରକାର ଗଠନକୁ ଦେଢ଼ ବର୍ଷ ଅତିକ୍ରମ କରିସାରିଥିଲେ ମଧ୍ୟ ଏଯାଏ ନିଗମ ଓ ବୋର୍ଡ ପୁର୍ନଗଠନ ହୋଇପାରିନି । ସେହିପରି ମନ୍ତ୍ରୀମଣ୍ଡଳ ମଧ୍ୟ ସମ୍ପ୍ରସାରଣ ହୋଇପାରିନାହିଁ । ସେହିପରି ରାଜ୍ୟରେ ଖାଲି ହେବାକୁ ଥିବା ୪ଟି ରାଜ୍ୟସଭା ଆସନରୁ ବିଜେପି ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ନିଶ୍ଚିତ ୨ଟି ଆସନ ଜିତୁଥିବାବେଳେ ଆଉ ଗୋଟିଏ ଆସନ ଜିତିବାର ସମ୍ଭାବନା ଅଧିକ ରହିଛି ।
ତେଣୁ କେଉଁମାନଙ୍କୁ ରାଜ୍ୟସଭା ପଠାଯିବ ସେ ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ କୋର୍ କମିଟି ବୈଠକରେ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ ହୋଇଥିବା କୁହାଯାଉଛି । ୧୦ରୁ ୧୨ଜଣ ନେତାଙ୍କ ନାମ ଉପରେ ଆଲୋଚନା ହୋଇଥିବା ବେଳେ ପ୍ରାୟ ୬ ଜଣଙ୍କ ନାମ ଦଳର ସଂସଦୀୟ ବୋର୍ଡକୁ ପଠାଇବାକୁ ନିଷ୍ପତ୍ତ ହୋଇଥିବା ଜଣାପଡ଼ିଛି ।
ଅଧିକ ପଢନ୍ତୁ : ବର୍ଦ୍ଧିତ ଦରମା ପାଇବେ ତ ବିଧାୟକ ! କ’ଣ ହେବ ବିଧେୟକର ଭବିଷ୍ୟତ ?
କାର୍ଯ୍ୟକାଳ ସରୁଥିବା ଦୁଇ ସାଂସଦ ସୁଜିତ କୁମାର, ମମତା ମହାନ୍ତ, ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ବିଜେପିର ବରିଷ୍ଠ ନେତା ବସନ୍ତ ପଣ୍ଡା, ଗୋଲକ ମହାପାତ୍ର, ସମୀର ମହାନ୍ତି, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଦଳର ଦୁଇ ଜଣ ସାଧାରଣ ସମ୍ପାଦକଙ୍କ ନାମ ଉପରେ ଆଲୋଚନା ହୋଇଛି । ଏହାସହ ରାଜ୍ୟ ବାହାରର ଦୁଇ ଜଣ ନେତା ଏବଂ ଓଡ଼ିଶାର ଦୁଇ ଜଣ ବଡ଼ ବ୍ୟବସାୟୀଙ୍କ ନାମ ଉପରେ ବି ଆଲୋଚନା ହୋଇଛି ।
Follow Us