କନକ ବ୍ୟୁରୋ : କେନ୍ଦ୍ର କ୍ୟାବିନେଟ ପାକିସ୍ତାନ ସୀମା ସହିତ ଲାଗିଥିବା ଅଞ୍ଚଳରେ ସଡକ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ୨୨୮୦ କିଲୋମିଟର ଲମ୍ବା ସଡକ ନିର୍ମାଣ କରିବାକୁ ଅନୁମୋଦନ କରିଛି । ଏନେଇ ୪ ହଜାର ୪ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରକଳ୍ପ ରାଜନୈତିକ ଓ ରଣନୀତିଗତ ଭାବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି । ଦୀର୍ଘ ବର୍ଷ ଧରି ସୀମାବର୍ତ୍ତୀ ଅଞ୍ଚଳରେ ଭଲ ସଡକ ବ୍ୟବସ୍ଥାର ଅଭାବ ପରିଲକ୍ଷିତ ହେଉଛି । ଏବେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜସ୍ଥାନ ଓ ପଞ୍ଜାବ ସୀମା ସହିତ ସଡକ ନେଟୱର୍କକୁ ବିସ୍ତାର କରାଯିବ ।
ଏହି ସଡକ ନେଟୱର୍କ ଦ୍ୱାରା କେବଳ ଜରୁରୀ ପରିସ୍ଥିତିରେ ଦ୍ରୁତ ପହଞ୍ଚ ହେବା ସମ୍ଭବ ହେବ ତାହା ନୁହେଁ ବରଂ ଆବଶ୍ୟକ ସାମଗ୍ରୀ ଯୋଗାଣ ବି ସହଜରେ ହୋଇପାରିବ । ଏହାସହ ଗମନା ଗମନର ସୁବିଧା ହେଲେ ଗ୍ରାମୀଣ ଅଞ୍ଚଳବାସୀଙ୍କ ଯୋଗାଯୋଗ ଦେଶର ଅନ୍ୟାନ୍ୟ ଅଞ୍ଚଳ ସହିତ ଶକ୍ତିଶାଳୀ ହେବ ।